ବଲାଙ୍ଗିରରେ ୬୪ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସ ସେବାରେ ପ୍ରାଣବଳି ଦେଇଥିବା ସହିଦମାନଙ୍କୁ ସ୍ମରଣ କରିବା ଅବସରରେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖ ଦିନ ସାରା ଦେଶରେ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଥାଏ । ଏହି କ୍ରମରେ ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ପ୍ୟାରେଡ଼ ଗ୍ରାଉଣ୍ଡରେ ଆଜି ୬୪ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ ଯୋଗଦାନ କରି ଅଭିବାଦନ ଗ୍ରହଣ କରିଛନ୍ତି । ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ମୃତି ବାର୍ତ୍ତା ପଠନ ପରେ ଗତ ଗୋଟିଏ ବର୍ଷ ମଧ୍ୟରେ ପୋଲିସ ସେବାରେ ସହିଦ ହୋଇଥିବା ୧୮୮ ଜଣ ପୋଲିସ ସହିଦମାନଙ୍କ ପ୍ରତି ଶ୍ରଦ୍ଧାଂଜଳି ଜଣାଇବା ସହ ନିଜ ବକ୍ତବ୍ୟ ମାଧ୍ୟମରେ ସେମାନଙ୍କ ବୀରତ୍ୱକୁ ଶତ ସଲାମ୍‌ ଜଣାଇଛନ୍ତି ଏସ୍‌ପି ଶ୍ରୀ ଖିଲାରୀ । ଏହି ଅବସରରେ ରିଜର୍ଭ ପୋଲିସ ପେରେଡ଼ ଗ୍ରାଉଣ୍ଡରେ ବଲାଙ୍ଗିର ପୋଲିସ ପକ୍ଷରୁ ଆକର୍ଷଣୀୟ ପ୍ୟାରେଡ଼ ଆୟୋଜିତ ହୋଇଥିବା ବେଳେ ବଲାଙ୍ଗିର ଏଏସ୍‌ପି. ସୁରେଶ ନାଏକ, ବିଦ୍ୟୁତ ପଣ୍ଡା, ଏସ୍‌ଡିପିଓ ତୋଫାନ ବାଗଙ୍କ ସହ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ପୋଲିସ ସହିଦ ସ୍ମୃତି ଦିବସ ପାଳନରେ ସାମିଲ୍‌ ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ସହିଦ ସ୍ମୃତି ଦିବସ ପାଳନ ଅବସରରେ ବଲାଙ୍ଗିର ଟାଉନ୍‌ ଥାନାରେ ବଲାଙ୍ଗିର ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିବା ବେଳେ ଏଥିରେ ପୂର୍ଣ୍ଣ ସହଯୋଗ ପାଇଁ ବଲାଙ୍ଗିରବାସୀଙ୍କୁ ଆହ୍ୱାନ କରିଛନ୍ତି ଏସ୍‌ପି. ଶ୍ରୀ ଖିଲାରୀ ।

jittmm
Leave A Reply

Your email address will not be published.