om academy

ଆଜି ଉଦ୍‌ଘାଟନ ହେବ ବନ ଶହୀଦ ସ୍ମାରକ ସ୍ତମ୍ଭ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର (ଆର୍‌ପିଆର୍‌ସି) ପରିସର ଏକାମ୍ର କାନନର ଗୋଲାପ ବଗିଚା ମଧ୍ୟରେ ବନବାହିନୀ ଶହୀଦ ସ୍ମାରକ ସ୍ତମ୍ଭ ସ୍ଥାପନ କରାଯାଇଛି । ବନ ଶହୀଦ ଦିବସ ପାଳନ ଅବସରରେ ରବିବାର ପୂର୍ବାହ୍ନ ୧୦ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ ଅମାତ ଏହାକୁ ଉଦ୍‌ଘାଟନ କରିବେ । ବିଭାଗୀୟ ସଚିବ, ପିସିସିଏଫ୍‌ଙ୍କ ସହ ଅନ୍ୟ ଅତିଥି ଓ ଅଧିକାରୀ ଉପସ୍ଥିତ ରହିବେ । ପ୍ରାୟ ୧୭ଲକ୍ଷ ଟଙ୍କାର ଏହି ପ୍ରକଳ୍ପକୁ ୨୦୧୯-୨୦ରେ ମଞ୍ଜୁରୀ ମିଳିଥିଲା । ଜଙ୍ଗଲ ନିଆଁ ଲିଭାଇବା ବେଳେ ମୃତ୍ୟୁ, ବନ୍ୟପ୍ରାଣୀ ଆକ୍ରମଣ ଜନିତ ମୃତ୍ୟୁ, ଜଙ୍ଗଲ ସୁରକ୍ଷା ପାଇଁ ମାଫିଆଙ୍କ ବିରୋଧରେ ଲଢ଼ି ମୃତ୍ୟୁ, ମାଓବାଦୀଙ୍କ ଦ୍ୱାରା ମୃତ୍ୟୁ ଭଳି ବିଭିନ୍ନ କାରଣରୁ ଶହୀଦ ହୋଇଥିବା ବନ କର୍ମଚାରୀଙ୍କ ନାମ ଏଥିରେ ସ୍ଥାନ ପାଇଛି । ଏମାନଙ୍କ ମଧ୍ୟରେ ହାତୀ ଆକ୍ରମଣରେ ଶହୀଦ ହୋଇଥିବା ସୋମନାଥ ବେହେରା (ଖୋର୍ଦ୍ଧା), କାମରାଜ ଭୂୟାଁ (ଘୁମୁସର ଉତ୍ତର), ତ୍ରିଲୋଚନ ପ୍ରଧାନ (ଆଠମଲ୍ଲିକ ଟେରିଟୋରି) ରହିଛନ୍ତି । ସେହିପରି କାଠ ମାଫିଆଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଅଶ୍ୱିନୀ କୁମାର ମହାନ୍ତି (ବରଗଡ଼), ଭଗବାନ ମାଝୀ (ଅନୁଗୋଳ), ରାଜନଗରରେ ମାଛ ଟ୍ରଲର ମାଫିଆଙ୍କ ଆକ୍ରମଣରେ ମୃତ ବନ କର୍ମଚାରୀ ଶ୍ୟାମସୁନ୍ଦର ସିଂହ, ମାଓବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା କେତେଜଣ ବନ କର୍ମଚାରୀଙ୍କୁ ମିଶାଇ ମୋଟ ୨୧ଜଣ ଶହୀଦ ବନ କର୍ମଚାରୀଙ୍କ ନାମ ଏହି ସ୍ତମ୍ଭରେ ସ୍ଥାନ ପାଇଛି । ଏ ସମ୍ପର୍କରେ ଅଣଗେଜେଟେଡ୍‌ ବନ ସେବା ସଂଘ ସମ୍ପାଦକ ଦିଲୀପ କୁମାର ମିଶ୍ର କହିଛନ୍ତି, କର୍ତ୍ତବ୍ୟ ପରାୟଣତା ଏବଂ ସେବାର ନିଦର୍ଶନ ଦେଇ ନିଜର ପ୍ରାଣ ଦେଇଥିବା ବନ କର୍ମଚାରୀଙ୍କ ପ୍ରତି ଏହା ଏକ କ୍ଷୁଦ୍ର ଶ୍ରଦ୍ଧାଞ୍ଜଳି । ଏଥିପାଇଁ ଅନେକ ଦିନ ହେବ ସଂଘ ତରଫରୁ ଆମେ ଚେଷ୍ଟା କରି ଆସିଥିଲୁ । ଦିବଂଗତ ବନ ଶହୀଦଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରିବା ପାଇଁ ନିର୍ମିତ ଏହି ସ୍ତମ୍ଭ ବନ କର୍ମଚାରୀଙ୍କ ମନୋବଳ ନିଶ୍ଚୟ ବୃଦ୍ଧି କରିବ ।

Leave A Reply

Your email address will not be published.