
ଉତ୍ତରପ୍ରଦେଶର ୧୦ମ ଶ୍ରେଣୀ ଛାତ୍ର ସୁମେଶ ପୋଲିସ ଗୁଳିରେ ନିହତ ଘଟଣାର ପ୍ରତିବାଦରେ ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଉତ୍ତର ପ୍ରଦେଶର ଜଣେ ଦଳିତବର୍ଗର ନାବାଳକ ଅବା ୧୦ମ ଶ୍ରେଣୀ ଛାତ୍ର ସୁମେଶଙ୍କୁ ପୋଲିସ ଗୁଳି କରି ହତ୍ୟା କରିଥିବା ଅତ୍ୟନ୍ତ ଦୁଃଖ ଓ ପରିତାପ ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଯାହାକି ଶୁଣିଲେ ଅନେକ ଦୁଃଖରେ ଭାଙ୍ଗି ପଡ଼ନ୍ତି । ଏହା ଯେ’ ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ଏହି ରାଜ୍ୟରେ ପୋଲିସର ଅରାଜକତା ଶାସନ ଚାଲିଛି ଓ ପୋଲିସ ଜୁଲମ ବଢ଼ି ଚାଲିଛି । ବାସ୍ତବିକ ପୋଲିସର ଅମାନୁଷିକତା, ବର୍ବରତା ଉପରେ ସ୍ପଷ୍ଟ କରୁଛି । ଏହାର ପ୍ରତିବାଦରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପାର୍ଟି ଅନୁସୂଚୀତ ଜାତି ସେଲ୍ ଅଧ୍ୟକ୍ଷ ଭାଗିରଥୀ ବେହେରାଙ୍କ ନେତ୍ତୃତ୍ଵରେ ଏକ ପ୍ରତିନିଧି ଦଳ ଆସି ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଘଟଣାର କେନ୍ଦ୍ରୀୟ କ୍ରାଇମ୍ ବ୍ରାଞ୍ଚ ଓ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ କଂଗ୍ରେସ ତରଫରୁ ଦାବୀ ହୋଇଛି । ପ୍ରକାଶ ଥାଉକି, ଉତ୍ତର ପ୍ରଦେଶର ରାମପୁରର ସିଲାଲୱାଡା ଗ୍ରାମର ଏକ ପାର୍କରେ ବାବା ସାହେବ ଡ଼. ଆମ୍ବେଦକରଙ୍କର ଫଟୋ ଉକ୍ତ ଛାତ୍ର ଲଗାଇଥିଲେ । ଏହି କାରଣରୁ ଦଳିତ ବର୍ଗର ଏକ ୧୭ ବର୍ଷୀୟ ନାବାଳକ ସୁମେଶକୁ ଉତ୍ତର ପ୍ରଦେଶ ପୋଲିସ ଯେଉଁଭଳି ଭାବରେ ଗୁଳି କରି ହତ୍ୟା କରିଛନ୍ତି । ତାହାକୁ ସାରା ଭାରତରେ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଯେତେବେଳେ କି, ସୁମେଶ ଦଶମ ଶ୍ରେଣୀ ପରୀକ୍ଷା ଦେଇ ନିଜ ଘରକୁ ଫେରୁଥିବା ସମୟରେ ପୋଲିସ ଗୁଳି କରିଥିଲା ଯାହା ଫଳରେ ଘଟଣା ସ୍ଥଳରେ ଦଳିତ ନାବାଳକ ଛାତ୍ର ମୃତ୍ୟୁବରଣ କରିଥିଲେ । ଯେଉଁ ଅବସ୍ଥାରେ ସୁମେଶର ମୃତ୍ୟୁ ହେଲା, ତାହାର ଗଭୀର ଅନୁଧ୍ୟାନ ଓ ସେଠିକାର ପ୍ରଶାସନ ଅନୁସନ୍ଧାନ, ତଦନ୍ତ କରିବାର ଥିଲା । କିନ୍ତୁ ଉତ୍ତର ପ୍ରଦେଶ ପୋଲିସ ପ୍ରଶାସନ ଉକ୍ତ ପ୍ରମାଣକୁ ଲୁଚାଇବାକୁ ଯାଇ ସୁମେଶର ମର-ଶରୀରକୁ ତରିବରିଆ ଭାବେ ଯେଉଁଭଳି ଭାବେ ଅନ୍ତିମ-ସଂସ୍କାର କରିଦେଲା । ଯେମିତିକି ହାଥ୍ ରାସ୍ରେ କରାଯାଇଥିଲା । ସୁମେଶର ପରିବାର ପୋଲିସ୍ ଷ୍ଟେସନ୍ର ଅଧିକାରୀ, ଏସ୍.ଡି.ଏମ୍. ଏବଂ ତହସିଲଦାରଙ୍କ ସମେତ ୨୫ଜଣଙ୍କ ନାମରେ ଏତଲା ଦାୟର କରିଛନ୍ତି । ପୋଲିସ୍ କର୍ମଚାରୀଙ୍କର ଦଳିତମାନଙ୍କ ଉପରେ ଏପ୍ରକାର ହିଂସା, ବର୍ବରୋଚିତକାଣ୍ଡକୁ ବରଦାସ୍ତ କରାଯିବ ନାହିଁ ବୋଲି କଂଗ୍ରେସ ତୀବ୍ର ପ୍ରତିକ୍ରିୟା ଦେଇଛି । ପୋଲିସର ଏହି କାର୍ଯ୍ୟରେ କଂଗ୍ରେସ ପକ୍ଷରୁ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ତୀବ୍ର ନିନ୍ଦା କରାଯାଇଛି । ଏହି ଗଭୀର ଦୁଃଖ ସମୟରେ କଂଗ୍ରେସ ପାର୍ଟି ପକ୍ଷରୁ ପୀଡ଼ିତ ପରିବାରଙ୍କୁ ସମବେଦନା ଜଣାଉଛନ୍ତି ଏବଂ ସରକାରଙ୍କୁ ନିବେଦନ କରି ଉକ୍ତ ଜଘନ୍ୟ ଏବଂ ଅମାନୁଷିକ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବା ନିମନ୍ତେ ପ୍ରଶାସନଠାରେ ଦାବୀ କରିଛନ୍ତି ।