ମହାସମାରୋହରେ ପାଳିତ ହୋଇଯାଇଛି ଶୀତଳଷଷ୍ଠୀ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାସମାରୋହରେ ପଦ୍ମପୁରରେ ପାଳିତ ହୋଇଯାଇଛି ମହାଦେବ ଏବଂ ମାତା ପାର୍ବତୀଙ୍କ ପବିତ୍ର ବିବାହ ଉତ୍ସବ ବା ଶୀତଳଷଷ୍ଠୀ ଯାତ୍ରା । ହଜାର ହଜାର ଭକ୍ତଙ୍କ ସମାଗମରେ ଘଣ୍ଟ, ଶଙ୍ଖ, ଡମ୍ବରୁ ନାଦ ସହ ହର ହର ମହାଦେବ ଓ ଜୟ ମାତାଦୀର ଧ୍ୱନୀରେ ସମଗ୍ର ନଗର ପ୍ରକମ୍ପିତ ହେବା ସହ ବୈଦିକ ପରମ୍ପରା ଓ ସଂସ୍କୃତି ଗତ ରୀତିନୀତିରେ ସମ୍ପୂର୍ଣ୍ଣ ହୋଇଥିଲା ଦେବ ଦମ୍ପତ୍ତିଙ୍କର ବିବାହ ଉତ୍ସବ । ଭବ୍ୟ ପଟୁଆରରେ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କ ମନ୍ଦିରରୁ ବରଯାତ୍ରୀ ବାହାରି ଶାନ୍ତି ନଗର ସ୍ଥିତ କନ୍ୟା ପିତାମାତା ଅରୁଣ ଦାନୀ ଏବଂ ରୂପାରାଣୀ ଦାନୀଙ୍କ ଘରେ ପହଁଞ୍ଚିବା ସହ ମହାଦେବ ଓ ମାତା ପାର୍ବତୀଙ୍କର ହୋଇଥିଲା ପାଣି ଗ୍ରହଣ । ତେବେ ଗତକାଲି ପୁନଃ ଦେବ ଦମ୍ପତ୍ତିଙ୍କୁ ମନ୍ଦିରକୁ ପାଛୋଟି ଆଣିବା ପାଇଁ ବର ପିତାମାତା ପ୍ରଶାନ୍ତ ସାହୁ ଓ ରାଜଶ୍ରୀ ସାହୁଙ୍କ ସହ ଭକ୍ତଙ୍କ ଗହଣ ଲାଗିଥିଲା । ତେବେ ମନ୍ଦିର ଆସିବା ଯାତ୍ରାରେ ଦେବ ଦମ୍ପତ୍ତିଙ୍କର ଭବ୍ୟ ଯୁଗଳ ଦର୍ଶନର ଲାଭ ନେଇଥିଲେ ଭକ୍ତମାନେ । ଅନ୍ୟପଟେ ସାର୍ବଜନୀନ ଶୀତଳଷଷ୍ଠୀ କମିଟି ପକ୍ଷରୁ ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥିବା ବେଳେ କିପରି ସୁରଖୁରରେ ଏବଂ ସୁରକ୍ଷିତ ଭାବରେ ପ୍ରଭୁଙ୍କୁ ଭକ୍ତ ଦର୍ଶନ କରି ପାରିବେ ତାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!