ଭୁବନେଶ୍ୱରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଆଞ୍ଚଳିକ ସମ୍ମିଳନୀ

ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଅଂଶଗ୍ରହଣ କରିବେ

• ମହିଳା ଓ ଶିଶୁମାନଙ୍କର ପୋଷଣ ସମସ୍ୟା ନିରାକରଣ ସହ ସେମାନଙ୍କର ବିକାଶ, ସଶକ୍ତିକରଣ ଏବଂ ସୁରକ୍ଷା ପାଇଁ ରଣନୈତିକ ହସ୍ତକ୍ଷେପ ଉପରେ ଆଞ୍ଚଳିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାର ଓ ଅଂଶୀଦାରମାନଙ୍କ ସହିତ ସମନ୍ୱୟ ସ୍ଥାପନ ଲକ୍ଷ୍ୟ

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୧୩ ଏପ୍ରିଲ, ୨୦୨୨ରେ ଭୁବନେଶ୍ୱରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ପୂର୍ବାଞ୍ଚଳ ରାଜ୍ୟ ସରକାର ଏବଂ ଅଂଶୀଦାରମାନଙ୍କର ଜୋନ୍‌ସ୍ତରୀୟ ସମ୍ମିଳନୀ ଆୟୋଜିତ ହେବ । ଏହି ବୈଠକରେ ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଅଂଶଗ୍ରହଣ କରିବେ । ମିଶନ ପୋଷଣ ୨.୦, ମିଶନ ଶକ୍ତି ଏବଂ ମିଶନ ବାତ୍ସଲ୍ୟ ଯୋଜନାର ସଫଳ ରୂପାୟନ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ ଅଂଶୀଦାରମାନଙ୍କ ସହ ବିଚାର ବିମର୍ଷ ପାଇଁ ଜୋନସ୍ତରୀୟ ସମ୍ମିଳନୀର ଆୟୋଜନ କରୁଛି । ଭୁବନେଶ୍ଵରରେ ଏହା ପଞ୍ଚମ ଓ ଅନ୍ତିମ ସମ୍ମିଳନୀ । ପ୍ରଥମ ସମ୍ମିଳନୀ ୦୨ ଏପ୍ରିଲରେ ଚଣ୍ଡିଗଡ଼, ଦ୍ଵିତୀୟ ସମ୍ମିଳନୀ ୦୪ ଏପ୍ରିଲରେ ବେଙ୍ଗାଲୁରୁ, ତୃତୀୟ ୧୦ ଏପ୍ରିଲରେ ଗୌହାଟି ଏବଂ ଚତୁର୍ଥ ୧୨ ଏପ୍ରିଲରେ ମୁମ୍ବାଇ ଠାରେ ଅନୁଷ୍ଠିତ ହୋଇଥିଲା । ଭାରତର ମୋଟ୍ ଜନସଂଖ୍ୟା ମଧ୍ୟରୁ ୬୭.୭% ମହିଳା ଓ ଶିଶୁ । ଏମାନଙ୍କର ସୁରକ୍ଷା ଏବଂ ସଶକ୍ତିକରଣ ସହିତ ସାମଗ୍ରିକ ବିକାଶ ପାଇଁ ଏକ ନିରାପଦ ଓ ସୁରକ୍ଷିତ ପରିବେଶ ଯୋଗାଇ ଦେବା ମାଧ୍ୟମରେ ଦେଶର ଦୀର୍ଘସ୍ଥାୟୀ ଏବଂ ସମାନତା ପୂର୍ଣ୍ଣବିକାଶ ସମ୍ଭବ ହୋଇପାରିବ । ତଥା ଆର୍ଥିକ ଏବଂ ସାମାଜିକ ପରିବର୍ତ୍ତନ ଲକ୍ଷ୍ୟ ହାସଲ କରାଯାଇ ପାରିବ । ଏହି ଲକ୍ଷ୍ୟ ହାସଲ କରିବା ଲାଗି, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୩ଟି ପ୍ରମୁଖ ଯୋଜନାକୁ ମଞ୍ଜୁରି ମିଳିଛି । ଏସବୁ ଯୋଜନା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କାର୍ୟ୍ୟକାରୀ କରିବ । ଯୋଜନା ଗୁଡ଼ିକ ହେଲା : ମିଶନ ପୋଷଣ ୨.୦, ମିଶନଶକ୍ତି ଏବଂ ମିଶନ ବାତ୍ସଲ୍ୟ ।ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅବଧି ଅର୍ଥାତ୍ ୨୦୨୧-୨୨ ଠାରୁ ୨୦୨୫-୨୬ ମଧ୍ୟରେ ଏହି ତିନୋଟି ମିଶନ୍ କାର୍ଯ୍ୟକାରୀ କରାଯିବ । ଏହି ମିଶନ ଗୁଡ଼ିକ ଅଧୀନରେ ଯୋଜନା ଗୁଡ଼ିକ କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବେ କାର୍ୟ୍ୟକାରୀ କରାଯିବ । ଖର୍ଚ୍ଚ ବିଭାଜନ ନିୟମ ଅନୁଯାୟୀ, କେନ୍ଦ୍ର ଭାଗ ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମାନେ ନିଜ ଭାଗ ଅର୍ଥ ମିଶାଇ ଯୋଜନାଗୁଡ଼ିକୁ କାର୍ୟ୍ୟକାରୀ କରିବେ । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ଯୋଜନାର ମାର୍ଗଦର୍ଶିକା ଜାରି କରାଯାଉଛି ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରମୁଖ ଉଦ୍ଦେଶ୍ୟ ହେଉଛି, ମହିଳା ଓ ଶିଶୁମାନଙ୍କ ପାଇଁ ରାଜ୍ୟ କାର୍ଯ୍ୟାନୁଷ୍ଠାନରେ ରହିଥିବା ଶୂନ୍ୟସ୍ଥାନକୁ ଦୂର କରିବା ଏବଂ ଆନ୍ତଃ-ମନ୍ତ୍ରଣାଳୟ ଓ ଆନ୍ତଃ-କ୍ଷେତ୍ରୀୟ ସମନ୍ୱୟକୁ ପ୍ରୋତ୍ସାହନ ଦେବା । ଯାହା ଫଳରେ ଲିଙ୍ଗ ସମାନତାପୂର୍ଣ୍ଣ ଏବଂ ଶିଶୁ କୈନ୍ଦ୍ରିକ ଆଇନ, ନୀତି ଓ କାର୍ୟ୍ୟକ୍ରମ ପ୍ରଣୟନ ତଥା କାର୍ୟ୍ୟକାରୀ କରାଯାଇପାରିବ । ମହିଳା ଓ ଶିଶୁମାନଙ୍କୁ ଏପରି ଏକ ପରିବେଶ ଯୋଗାଇ ଦିଆଯାଇ ପାରିବ ଯାହା ସୁଲଭ, ସହଜ ଲବ୍ଧ, ଭରସାଯୋଗ୍ୟ ହୋଇଥିବ ଏବଂ ସବୁପ୍ରକାର ଭେଦଭାବ ଓ ହିଂସାଠାରୁ ମୁକ୍ତ ହୋଇଥିବ । ଏ ଦିଗରେ, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନେ ତୃଣମୂଳସ୍ତରରେ ଯୋଜନା କାର୍ୟ୍ୟକାରୀ କରିବା ଲାଗି ଉତ୍ତରଦାୟୀ ହୋଇଥିବାରୁ, ଏସବୁ ଯୋଜନା ଅଧୀନରେ ସେମାନଙ୍କର ସହାୟତା ଓ ସମର୍ଥନ ହାସଲ କରିବା ମନ୍ତ୍ରଣାଳୟର ପ୍ରମୁଖ ଉଦ୍ଦେଶ୍ୟ ।
ଜୋନ୍‌ ସ୍ତରୀୟ ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି, ମନ୍ତ୍ରଣାଳୟର ତିନୋଟି ପ୍ରମୁଖ ମିଶନର ସୁପରିଚାଳନା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ସଚେତନ କରାଇବା । ଯାହା ଫଳରେ ସେମାନେ ଆସନ୍ତା ୫ ବର୍ଷ ମଧ୍ୟରେ ଏହି ସବୁ ଯୋଜନାକୁ ବାସ୍ତବ ସହଯୋଗୀ ସଂଘୀୟ ଭାବନା ନେଇ ଉପଯୁକ୍ତ ଢଙ୍ଗରେ କାର୍ୟ୍ୟକାରୀ କରିପାରିବେ । ଏହା ଦ୍ୱାରା ଦେଶର ମହିଳା ଓ ଶିଶୁମାନଙ୍କର ଲାଭ ପାଇଁ ଏସବୁ ମିଶନ ଅଧୀନରେ ପରିକଳ୍ପନା କରାଯାଇଥିବା ସାମାଜିକ ପରିବର୍ତ୍ତନ ଲକ୍ଷ୍ୟହାସଲ ହୋଇପାରିବ । ମିଶନପୋଷଣ ୨.୦ ହେଉଛି ଏକ ସମନ୍ୱିତ ପୁଷ୍ଟିସାଧନ ସହାୟତା କାର୍ୟ୍ୟକ୍ରମ । ଏହା ଅଧୀନରେ ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କର ଅପପୁଷ୍ଟି ସମସ୍ୟା ଦୂର କରିବା ଲାଗି ପୋଷଣ ସାମଗ୍ରୀ ଓ ବିତରଣରେ ଏକ ରଣନୈତିକ ପରିବର୍ତ୍ତନ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥି ସହିତ ସ୍ୱାସ୍ଥ୍ୟ, କଲ୍ୟାଣ ଓ ପ୍ରତିଷେଧକ ପ୍ରଣାଳୀକୁ ପ୍ରୋତ୍ସାହିତ କରୁଥିବା ଅଭ୍ୟାସ ବିକଶିତ କରିବା ଏବଂ ପ୍ରୋତ୍ସାହନ ଦେବା ପାଇଁ ଏକ ଇକୋସିଷ୍ଟମ ବିକାଶ କରିବା ଏହି ଯୋଜନାର ଉଦ୍ଦେଶ୍ୟ । ଏଥିସହିତ, ସହାୟକ ପୁଷ୍ଟିସାଧନ କାର୍ୟ୍ୟକ୍ରମ ଅଧୀନରେ ଖାଦ୍ୟର ଗୁଣବତ୍ତା ଏବଂ ବିତରଣକୁ ଆନୁକୂଳ କରିବା ଲାଗି ପୋଷଣ ୨.୦ ଯୋଜନା ଅଧୀନରେ ଲକ୍ଷ୍ୟ ରଖାଯାଇଛି ।ପୋଷଣ ୨.୦ କାର୍ଯ୍ୟକ୍ରମ ତିନୋଟି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ/ଯୋଜନାକୁ ଏହାର ପରିଧି ମଧ୍ୟକୁ ଆଣିବ, ଯଥା : ଅଙ୍ଗନୱାଡ଼ି ସେବା, କିଶୋରୀ ବାଳିକାଙ୍କ ପାଇଁ ଯୋଜନା ଏବଂ ପୋଷଣ ଅଭିଯାନ ।

ମିଶନ ଶକ୍ତି ଅଧୀନରେ ମହିଳାମାନଙ୍କର ସମନ୍ୱିତ ଯତ୍ନ, ସୁରକ୍ଷା, ସଂରକ୍ଷଣ, ଥଇଥାନ ଏବଂ ସଶକ୍ତିକରଣ ସୁନିଶ୍ଚିତ କରିବା ସହିତ ସେମାନଙ୍କ ପାଇଁ ଏକୀକୃତ ନାଗରିକ କୈନ୍ଦ୍ରିକ ଜୀବନଚକ୍ରକୁ ସମର୍ଥନ କରିବା ନିମନ୍ତେ ପରିକଳ୍ପନା କରାଯାଇଛି, କାରଣ ମହିଳାମାନେ ଜୀବନର ବିଭିନ୍ନ ପର୍ୟ୍ୟାୟରେ ପ୍ରଗତି ହାସଲ କରିଥାନ୍ତି ।ମିଶନ ଶକ୍ତିର ଦୁଇଟି ଉପଯୋଜନା ‘ସମ୍ବଳ’ ଏବଂ ‘ସାମର୍ଥ୍ୟ’ ରହିଛି । ଗୋଟିଏ ପଟେ ‘ସମ୍ବଳ’ ଉପଯୋଜନା ମହିଳାମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଅନ୍ୟପଟେ ‘ସାମର୍ଥ୍ୟ’ ଉପଯୋଜନା ମହିଳାମାନଙ୍କର ସଶକ୍ତିକରଣ ଲାଗି ଉଦ୍ଦିଷ୍ଟ ।

ମିଶନ ବାତ୍ସଲ୍ୟର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକ ପିଲାଙ୍କ ପାଇଁ ଏକ ସୁସ୍ଥ ତଥା ସୁଖଦ ଶୈଶବ ସୁନିଶ୍ଚିତ କରିବା, ପିଲାମାନଙ୍କର ବିକାଶ ପାଇଁ ଏକ ସମ୍ବେଦନଶୀଳ, ସହାୟକ ଏବଂ ସମକାଳୀନ ଇକୋସିଷ୍ଟମ ଯୋଗାଇ ଦେବା, କିଶୋର ନ୍ୟାୟ ଆଇନ ୨୦୧୫ର ଶାସନାଦେଶକୁ ପୂରଣ କରିବା କ୍ଷେତ୍ରରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ସହାୟତା ଯୋଗାଇ ଦେବା; ଏସଡିଜି ଲକ୍ଷ୍ୟ ହାସଲ କରିବା । ମିଶନ ବାତ୍ସଲ୍ୟ ଅଧୀନରେ ଆସୁଥିବା ଉପାଦାନଗୁଡ଼ିକରେ ବୈଧାନିକ ସଂସ୍ଥାନ; ସେବା ବିତରଣ ଢାଞ୍ଚା, ସଂସ୍ଥାଗତ ଯତ୍ନ/ସେବା; ଅଣ-ସଂସ୍ଥାଗତ ଗୋଷ୍ଠୀ ଆଧାରିତ ଯତ୍ନ; ଜରୁରିକାଳୀନ ଜନସମ୍ପର୍କ ସେବା; ପ୍ରଶିକ୍ଷଣ ଏବଂ ସାମର୍ଥ୍ୟ ବିକାଶ ଆଦି ସାମିଲ ରହିଛି ।

Leave A Reply

Your email address will not be published.