ଦ୍ୱିଦିବସୀୟ ଶିଶୁ ମେଳା ମହୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଦ୍ୱିଦିବସୀୟ ଶିଶୁ ମେଳା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ମାର୍ଗଦର୍ଶନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମହୋତ୍ସବରେ ଅଂଶଗ୍ରହଣ କରି ନିଜର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବାର ସୁଯୋଗ ପାଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆମ ଭାରତୀୟ ସଂସ୍କୃତି, ପରମ୍ପରା ସମ୍ପର୍କରେ ଅବଗତ କରାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ୪ ଭାଗରେ ବିଭକ୍ତ କରାଯାଇ ରାମାୟଣ, ମହାଭାରତ, ବେଦ ଓ ପଞ୍ଚତନ୍ତ୍ର ଉପରେ ଚିତ୍ରକଳା ଓ ତଥ୍ୟ ସମ୍ବଳିତ ବକ୍ତବ୍ୟ ରଖିବା ପାଇଁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ତଥା ବିଚାରକ ଭାବେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାର ମୂଲ୍ୟାୟନ କରିଥିଲେ । ସେହିପରି ବିଜ୍ଞାନ, ଗଣିତ ଭଳି ବିଭିନ୍ନ ବିଷୟ ତଥା ସାମାଜିକ ଜ୍ଞାନ ଉପରେ ପ୍ରଦର୍ଶନୀ କରାଯାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଧୀଶକ୍ତି ଓ ମେଧାଶକ୍ତିକୁ ବିକଶିତ କରିବାର ପ୍ରୟାସ ହୋଇଥିଲା । ଏଥିରେ ଡ. ସନାତନ ପ୍ରଧାନ ଓ ଅନ୍ୟମାନେ ବିଚାରକ ଭାବେ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ । ଅନ୍ୟପକ୍ଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଚିତ୍ରକଳା ଓ ସୃଜନ ଶକ୍ତିକୁ ବୃଦ୍ଧି କରିବା ପାଇଁ କ୍ରାଫ୍ଟ, ବିଭିନ୍ନ ବସ୍ତୁରେ କଳାକୃତି ତଥା ଖାଦ୍ୟ ପଦାର୍ଥର ପ୍ରଦର୍ଶନୀ କରାଯାଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ବିଦ୍ୟାଳୟର ବାର୍ଷିକୋତ୍ସବରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ଏହି ପ୍ରଦର୍ଶନୀକୁ ବହୁ ସଂଖ୍ୟାରେ ଅଭିଭାବକମାନେ ଯୋଗଦେଇ ଉପଭୋଗ କରିବା ସହ ପ୍ରଶଂସା କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ କବି ଶତପଥୀଙ୍କ ମତରେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ତଥା ଭାରତର ଐତିହ୍ୟ ପରମ୍ପରା ସମ୍ପର୍କରେ ଧାରଣା ଦେବାସହ ଭବିଷ୍ୟତରେ ସମାଜରେ ସୁନାଗରିକ ହେବା ପାଇଁ ପ୍ରେରିତ କରିବ ବୋଲି ମତ ରଖିଥିଲେ ।

Leave A Reply

Your email address will not be published.