ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେଙ୍ଗାଲିରେ ମହାସମାରୋହରେ ଶିଶୁ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେଙ୍ଗାଲିରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବୀରକିଶୋର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସମାଜସେବୀ ଉଦୟସିଂ ଠାକୁର, ପରିଚାଳନା କମିଟି ସଭାପତି ବେଣୁଧର ପଧାନ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଶିକ୍ଷା ବିକାଶ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ବିଗତ ଏକ ସପ୍ତାହ ଧରି ଚାଲିଥିବା ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକର କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଏବଂ ଟ୍ରଫି ସହ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଲିଖିତ ବିଭିନ୍ନ ଲେଖା ଗୁଡ଼ିକର ସଙ୍କଳନ ସ୍ୱରୂପ “ପ୍ରାଚୀର ପତ୍ରିକା” ଉନ୍ମୋଚନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ମାତ୍ର ପାଞ୍ଚ ମାସ ପୂର୍ବେ ଦାୟିତ୍ଵ ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ବୀରକିଶୋର ଶତପଥୀଙ୍କ ବିଭିନ୍ନ ଅଭିନବ ପ୍ରୟାସ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ବେଶ୍ ଆଦୃତ ଏବଂ ପ୍ରଶଂସନୀୟ ହୋଇପାରିଛି । ଶ୍ରୀଯୁକ୍ତ ଶତପଥୀଙ୍କ ମତରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ହେଉଛି ପ୍ରକୃତ ବିକାଶ । ସେମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ କରିବା ହେଉଛି ଶିକ୍ଷକର ଧର୍ମ । ଛାତ୍ରଛାତ୍ରୀ ତଥା ଅଞ୍ଚଳବାସୀଙ୍କ ଭଲପାଇବା ଯୋଗୁଁ ଏ ସବୁ ସମ୍ଭବ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଶିଶୁ ଦିବସ ସମାରୋହ ଉଦଯାପିତ ହୋଇଥିଲା ।

Leave A Reply

Your email address will not be published.