ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪୨ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାମନ୍ଦିରର ସଭାପତି ମିତ୍ରଭାନୁ ପଣ୍ଡାଙ୍କ ସଭାପତିତ୍ୱରେ ଓ ସମ୍ପାଦକ କରୁଣାକର ପାଟ୍ଟଶାଣୀଙ୍କ ଆବାହକତ୍ୱ ତଥା ଛାତ୍ରୀ ଲକ୍ଷ୍ମୀପ୍ରିୟା ସ୍ୱାଇଁ ଓ ଆନନ୍ଦିତା ସାମଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ସ୍ୱାଗତ ଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥିଭାବେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗଦେଇ ପରିବେଶ ସୁରକ୍ଷା, ପ୍ରବାସୀ ରାଉରକେଲାଙ୍କ ସହର ପ୍ରତି ଅବଦାନ, ମା’ଙ୍କ ନାମରେ ବୃକ୍ଷରୋପଣ, ବିକଶିତ ରାଷ୍ଟ୍ର ଗଠନ ପାଇଁ ଆହ୍ୱାନ ଦେଇଥିଲେ । ଏଥି ସହ ବିଦ୍ୟାମନ୍ଦିରକୁ ୧୦ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପାଇଁ ଘୋଷଣା କରିଥିଲେ । ସମ୍ମାନିତ ଅତିଥିଭାବେ ଆର୍.ଏସ୍.ପିର ମହାପ୍ରବନ୍ଧକ ଗିରିଜା ଶଙ୍କର ଦାସ ଯୋଗଦେଇ ବିଦ୍ୟାମନ୍ଦିର କିପରି ଛାତ୍ରଛାତ୍ରୀଙ୍କୁ ଗୁଣବତ୍ତା, ମୂଲ୍ୟବୋଧ ଓ ସଂସ୍କୃତି ସମ୍ପର୍କରେ ଶିକ୍ଷା ଦିଏ ସେ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଡଃ. ଉମାକାନ୍ତ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଲେ ଯେ ମାତୃଭୂମି ସେବା ହେଉଛି ଶ୍ରେଷ୍ଠ ସେବା । ବୁଦ୍ଧିଜୀବୀ କେବେ ସମାଜକୁ ବିଭାଜନ କରେନାହିଁ, ସେହିପରି ଜ୍ଞାନ ମାଧ୍ୟମରେ ଆମେ ଏମିତି ଛାତ୍ର ଗଢିବା ଯାହାଙ୍କ ଦ୍ୱାରା ଏକ ସୁନ୍ଦର ସଂସ୍କୃତି ସମାଜ ଗଠନ କରିପାରିବା ପାଇଁ ଆହ୍ୱାନ ଦେଇଥିଲେ । ଏହା ସହ ସେ ବେଦବ୍ୟାସ ନାମର ସାର୍ଥକତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ପାଟ୍ଟଶାଣୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ସଭାପତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ବିଦ୍ୟାମନ୍ଦିରର ମୁଖପତ୍ର ‘ଦେବଦତ୍ତ’କୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଅଭିଭାବକ ଓ ଛାତ୍ରଛାତ୍ରୀ ଉପଭୋଗ କରିଥିଲେ । ସଙ୍କୁଳ ପ୍ରମୁଖ ଗୋଦାବରୀଶ ଶତପଥୀଙ୍କ ସମେତ ବିଦ୍ୟାମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ଗୁରୁଜୀ, ଗୁରୁମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।