jayashree

ବଲାଙ୍ଗିର ଏକ୍ସନ କମିଟିର ମିଟ୍‌ ୱିଥ୍‌ ଦ ସିନିୟର ସିଟିଜେନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେପିର ବରିଷ୍ଠ ନେତା ତଥା ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଏକ୍ସନ କମିଟିର ମିଟ୍‌ ୱିଥ୍‌ ଦ ସିନିୟର ସିଟିଜେନ କାର୍ଯ୍ୟକ୍ରମର ଏକ ବୈଠକ ଅମଲା ଭବନ, ବଲାଙ୍ଗିରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ସହରର ଶତାଧିକ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ ।

ବୈଠକରେ ମତପ୍ରକାଶ ପାଇଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱରେ ଭାରତ ଆଜି ସାରା ବିଶ୍ୱରେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେଇପାରିଛି ।ଅର୍ଥନୈତିକ କ୍ଷେତ୍ରରେ ହେଉ କିମ୍ବା ମହାକାଶ କ୍ଷେତ୍ରରେ ଆଜି ଭାରତ ବିଶ୍ୱ ଶକ୍ତି ଭାବେ ଉଭା ହୋଇଛି । ମାତ୍ର ବଲାଙ୍ଗିର ଜିଲ୍ଲା ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଦେଶର ପଛୁଆ ଜିଲ୍ଲାର ଅପବାଦ ବହନ କରୁଛି ।ଏଠାରେ ଜନସାଧାରଣଙ୍କ ଛୋଟ ଛୋଟ ମୌଳିକ ଆବଶ୍ୟକତା ପୁର୍ଣ୍ଣ କରିବାକୁ ମଧ୍ୟ ଆନ୍ଦୋଳନର ଆବଶ୍ୟକ ପଡୁଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ଥିବା ବରିଷ୍ଠ ବୁଦ୍ଧିଜୀବୀ ତାଙ୍କ ମତାମତ ରଖିବା ସହ ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବି ବିସ୍ଥାପିତଙ୍କ ଉଚିତ୍‌ କ୍ଷତିପୂରଣ ଦେବାରେ ଏବଂ ଥଇଥାନ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହେବା, ନିର୍ବାଚନକୁ ଆଖିରେ ରଖି ତରବରିଆ ଭାବେ କେନାଲ କାମ ସରି ନଥିଲେ ମଧ୍ୟ ଗ୍ରାମବାସୀଙ୍କୁ ଜୋର ଜବରଦସ୍ତ ବିସ୍ଥାପନ କରିବା, ବାଇପାସ ରାସ୍ତା ନିର୍ମାଣ କଛପ ଗତିରେ ଚାଲିବା ଓ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ହେଉଥିବା ଅହେତୁକ ବିଳମ୍ବ ସକାଶେ ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କ ବୈମାତୃକ ମନୋଭାବ ଓ ଉଦାସୀନତାକୁ ତୀବ୍ର ନିନ୍ଦା କରିଥିଲେ ।

ଏକ୍ସନ କମିଟି ଅଗାମୀ ଦିନରେ ଲୋୟର ଶୁକତେଲ ପ୍ରକଳ୍ପର ବିସ୍ଥାପିତଙ୍କୁ ନ୍ୟାୟ ଦେବା ପାଇଁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେବା ସହ ନୂତନ ବଲାଙ୍ଗିର ଗଠନ ପାଇଁ ଇରିଗେସନ୍‌ ଏବଂ ଏଡୁକେସନକୁ ଗୁରୁତ୍ୱ ଦେବା ସହ ସ୍ୱାସ୍ଥ୍ୟ ଏବଂ ଗମନାଗମନକୁ ମଧ୍ୟ ପ୍ରାଥମିକତା ଦିଆଯିବ ବୋଲି ଆବାହକ ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଅଗାମୀ ଦିନରେ କେବଳ ଲୋୟର ସୁକତେଲ ନୁହଁ, ବଲାଙ୍ଗିର ଜିଲ୍ଲା ଭିତରେ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ଉପରେ ବ୍ୟାରେଜ ନିର୍ମାଣ, ବଲାଙ୍ଗିର ଜିଲ୍ଲାରେ କୃଷି ବିଶ୍ୱବିଦ୍ୟାଳୟ ପାଇଁ ଦାବୀ, ବିଜୟାନନ୍ଦ ଚିନି କାରଖାନାକୁ ପୁନଃ କାର୍ଯ୍ୟକ୍ଷମ, ଶିକ୍ଷିତ ଯୁବକମାନଙ୍କ ନିଯୁକ୍ତି ପାଇଁ ଶିଳ୍ପ ବିହୀନ ବଲାଙ୍ଗିର ଜିଲ୍ଲାରେ ନୂଆ ଶିଳ୍ପ ପ୍ରତିଷ୍ଠା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଶିକ୍ଷକ ସମସ୍ୟା ତଥା ଭୀମଭୋଇ ମେଡିକାଲ କଲେଜରେ ସବୁ ପଦବୀ ପୂରଣ ହେବା ସହ ଜନସାଧାରଣଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇବା ପାଇଁ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଏକ୍ସନ କମିଟି ପ୍ରସ୍ତୁତ ହେଉଛି । ବରିଷ୍ଠ ନାଗରିକଙ୍କୁ ବଲାଙ୍ଗିରର ଉନ୍ନତି ପାଇଁ ଆଗକୁ ଆସିବା ସହ ଅଗାମୀ ଦିନରେ ନିଜ ବୈପ୍ଲବିକ ଚିନ୍ତାଧାରା ମାଧ୍ୟମରେ କମିଟି ତଥା ଯୁବସାମାଜକୁ ଦିଗଦର୍ଶନ ଦେବା ଏବଂ ବଲାଙ୍ଗିରର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ନିବେଦନ କରାଯାଇଥିଲା ।ସମସ୍ତ ବରିଷ୍ଠ ନାଗରିକ ବଲାଙ୍ଗିର ଏକ୍ସନ କମିଟି ଦ୍ୱାର ଅଗାମୀ ଦିନରେ ଆହୁତ ପ୍ରତ୍ୟେକ ଆନ୍ଦୋଳନରେ ସାମିଲ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।

Leave A Reply

Your email address will not be published.