କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରର ବିଶିଷ୍ଟ ବ୍ୟକ୍ତି ଏକାଧାରରେ ଓକିଲ, ଓଡିଆ ସିନେକଳାକାର, ଶିକ୍ଷାବିଦ୍, ସମାଜସେବୀ ବିଜୟ କୁମାର ମିଶ୍ର( ୭୪)ଙ୍କ ମଙ୍ଗଲବାର ରାତିରେ ତାଙ୍କ କଂଟାବାଂଜି ନୁଆପଡା ବାସଭବନରେ ବିୟୋଗ ହୋଇଛି । ସ୍ୱର୍ଗତ ମିଶ୍ର ଜଣେ ବରିଷ୍ଠ ଆଇନଜୀବୀ ଭାବେ ଟିଟିଲାଗଡ ଓ କଂଟାବାଂଜି କୋର୍ଟରେ ୪୫ବର୍ଷ ଧରି ନିଜର ଓକିଲାତି ପେଶା ଆରମ୍ଭ କରିଥିଲେ । ସ୍ୱର୍ଗତ ମିଶ୍ର ଜଣେ ଓଡିଆ ସିନେକଳାକାର ଭାବେ ଓଡିଆ ସିନେମା ପଳାତକ, ଜଗା ହାତରେ ପଘା ଭଳି କେତେକ ସିନେମାରେ କାମ କରିଛନ୍ତି । ବିଭିନ୍ନ ଅନୁଷ୍ଠାନ ମଧ୍ୟରେ କଂଟାବାଂଜି କେ.ଭି. କଲେଜର ପ୍ରତିଷ୍ଠାତା ସମ୍ପାଦକ, ପ୍ରତିଧ୍ୱନି ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି, କଂଟାବାଂଜି ବ୍ରାହ୍ମଣ ସମାଜର ପୂର୍ବତନ ସଭାପତି, କଂଟାବାଂଜି ପୁସ୍ତକ ମେଳାର ଉପଦେଷ୍ଟା ଭଳି ଅନେକ ଅନୁଷ୍ଠାନର ପ୍ରତିଷ୍ଠିତ ସଭ୍ୟଭାବେ ପରିଚିତ । ମୃତ୍ୟୁ ବେଳକୁ ତାଙ୍କ ଦୁଇ ଓକିଲ ପୁତ୍ର ଦେବାଶିଷ ମିଶ୍ର, ସୁବାଶିଷ ମିଶ୍ର, ଧର୍ମପତ୍ନୀ ଏବଂ ଦୁଇ ଝିଅ, ପରିବାର ବର୍ଗ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ସ୍ୱର୍ଗତ ମିଶ୍ରଙ୍କ ଶେଷଯାତ୍ରାରେ ସହରର ସହସ୍ରାଧିକ ଲୋକେ ସାମିଲ ଥିବା ବେଳେ ଓକିଲ ସଂଘର ପ୍ରତିନିଧି ଏବଂ ସଭ୍ୟ, ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି ସାମିଲ ଥିଲେ । ସ୍ଥାନୀୟ ବଙ୍ଗୋମୁଣ୍ଡା ରାସ୍ତା ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି । ତାଙ୍କ ବଡପୁଅ ଦେବାଶିଷ ମୁଖାଗ୍ନି ଦେଇଥିଲେ ।
Prev Post