ପିଏମ କୃଷି ସିଞ୍ଚାଇ ଯୋଜନା : ଏଆଇବିପିରେ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗ

  • ଚିହ୍ନଟ ହୋଇଥିଲା ରାଜ୍ୟର ୯୯ ପ୍ରକଳ୍ପ ହେଲେ ସହାୟତା ପାଉଛି ମାତ୍ର ୮, କେନ୍ଦ୍ରୀୟ ଯୋଜନାର ଫାଇଦା ଓଡିଶାକୁ ମିଳୁ ନାହିଁ : ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅନ୍ତର୍ଗତ ଏଆଇବିପି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ଆଲୋଚନା କରି ଓଡିଶାର ୯୯ଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପକୁ ଚିହ୍ନଟ କରିଥିଲେ । ପିଏମ୍‌କେଏସ୍‌ୱାଇ-ଏଆଇବିପି ଯୋଜନାରେ ରାଜ୍ୟର ଏହି ୯୯ଟି ଜଳସେଚନ ପ୍ରକଳ୍ପ କେନ୍ଦ୍ରରୁ ଆର୍ଥିକ ସହାୟତା ପାଇଥାନ୍ତା ଓ ଜଳସେଚନ କ୍ଷେତ୍ରରେ ରଜ୍ୟର ବିକାଶ ହୋଇଥାନ୍ତା କିନ୍ତୁ ସହାୟତା ପାଉଛି ମାତ୍ର ୮ଟି ପ୍ରକଳ୍ପ । ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ଭାରତ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟର ଜଳ ଯୋଜନା ଏବଂ ପିଯୋଜନା ବିଭାଗର ଜନ ସୂଚନା ଅଧିକାରୀ ଏହି ତଥ୍ୟ ପ୍ରଦାନ କରିଛନ୍ତି । ତଥ୍ୟରୁ ଆହୁରି ଜଣାପଡିଛି ଯେ, ରାଜ୍ୟମାନଙ୍କର ଜଳସେଚନ ପ୍ରକଳ୍ପଗୁଡିକୁ କେନ୍ଦ୍ରୀୟ ସହାୟତା ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା- ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ(ଏଆଇବିପି) ଓ ଜାତୀୟ ପ୍ରକଳ୍ପ ୨୦୨୨ର ନୂତନ ମାର୍ଗଦର୍ଶିକା ଅନୁଯାୟୀ ୨୦୨୧ରୁ ରାଜ୍ୟମାନଙ୍କ ବର୍ଗିକରଣ କରାଯାଇ ଆର୍ଥିକ ସହାୟତା ଦିଆଯାଉଛି । ପ୍ରଥମ ବର୍ଗରେ ୮ଟି ଉତ୍ତର ପୂର୍ବାଞ୍ଚଳର ରାଜ୍ୟ, ୨ଟି ହିମାଳୟାନ ରାଜ୍ୟ ଯଥା ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମିର, ଲଦାଖକୁ ରଖାଯାଇଛି । ପ୍ରଥମ ବର୍ଗର ରାଜ୍ୟମାନେ ୯୦ : ୧୦ ହାରରେ କେନ୍ଦ୍ରୀୟ ସହାୟତା ପାଇ ପାରିବେ । ଅର୍ଥାତ ପ୍ରକଳ୍ପର ୯୦ ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ।ଏହି ବର୍ଗରେ ପୂର୍ବରୁ ଓଡିଶାର କେବିକେ ଅଞ୍ଚଳ ଥିଲା । ଦ୍ୱିତୀୟ ବର୍ଗରେ ଦେଶର ମରୁଡି ପ୍ରବଣ ଅଞ୍ଚଳ, ମରୁଭୂମି ବିକାଶ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ବନ୍ୟାଞ୍ଚଳ, ମାଓ ପ୍ରପିଡିତ ଅଞ୍ଚଳ, ବୁନ୍ଦେଲଖଣ୍ଡ, ବିଦର୍ଭ, ମରାଠୱାଡା ଓ ଓଡିଶାର କେବିକେ ଅଞ୍ଚଳ ରହିଛି । କେବିକେ ଅଞ୍ଚଳ ପ୍ରଥମ ବର୍ଗରୁ ଖସି ଦ୍ୱିତୀୟ ବର୍ଗରେ ରହିଛି । ଦ୍ୱିତୀୟ ବର୍ଗର ରାଜ୍ୟମାନେ ୬୦ : ୪୦ ହାରରେ କେନ୍ଦ୍ରୀୟ ସହାୟତା ପାଇବେ । ପ୍ରକଳ୍ପ ଖର୍ଚ୍ଚର ୬୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ଯୋଗାଇ ଦେବେ । ପ୍ରଥମ ବର୍ଗ ଓ ଦ୍ୱିତୀୟ ବର୍ଗରେ ରଖାଯାଇଥିବା ସମସ୍ତ ରାଜ୍ୟ ଓ ଅଞ୍ଚଳକୁ ବାଦ ଦେଇ ଅବଶିଷ୍ଟ ସାଧାରଣ ପାହ୍ୟା ରାଜ୍ୟର ସମସ୍ତ ଅଞ୍ଚଳକୁ ତୃତୀୟ ବର୍ଗରେ ସାମିଲ କରାଯାଇଛି । ତୃତୀୟ ବର୍ଗରେ ସାମିଲ ହୋଇଥିବା ଅବଶିଷ୍ଟ ରାଜ୍ୟ ଓ ଅଞ୍ଚଳଗୁଡିକର ପ୍ରକଳ୍ପମାନେ ୨୫ : ୭୫ ହାରରେ କେନ୍ଦ୍ରୀୟ ସହାୟତା ପାଇବେ । ଏହି ସବୁ ରାଜ୍ୟ ଓ ଅଞ୍ଚଳର ପ୍ରକଳ୍ପଗୁଡିକ ମାତ୍ର ୨୫ ପ୍ରତିଶତ କେନ୍ଦ୍ରୀୟ ସହାୟତା ପାଇ ପାରିବେ । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅନ୍ତର୍ଗତ ଏଆଇବିପି କାର୍ଯ୍ୟକ୍ରମରେ ୨୦୧୬ରୁ ୨୦୨୨ ମସିହା ମଧ୍ୟରେ କେନ୍ଦ୍ରୀୟ ସହାୟତା ପାଇଥିବା ପ୍ରକଳ୍ପଗୁଡିକ ହେଲା- କଳାହାଣ୍ଡି ଜିଲ୍ଲାର ଅପର ଇନ୍ଦ୍ରାବତୀ ପ୍ରକଳ୍ପ ଓ ରେତ ଜଳସେଚନ ପ୍ରକଳ୍ପ । ଅପର ଇନ୍ଦ୍ରାବତୀକୁ ଏହି ସମୟ ସୀମା ମଧ୍ୟରେ କେନ୍ଦ୍ର ସରକାର ୧୮ କୋଟି ଟଙ୍କା ଦେଇଥିବା ବେଳେ ରେତ ପ୍ରକଳ୍ପକୁ ୯୬ କୋଟି ୧୨ ଲକ୍ଷ ଟଙ୍କା ସହାୟତା ଦିଆଯାଇଛି । ସୁନ୍ଦରଗଡର ରୁକୁରା ପ୍ରକଳ୍ପକୁ ୨୫ କୋଟି ୧୨ ଲକ୍ଷ ଟଙ୍କା, କୋରାପୁଟର ତେଲେଙ୍ଗିରି ପ୍ରକଳ୍ପକୁ ୧୯୯ କୋଟି ୪୩ ଲକ୍ଷ, ନୂଆପଡାର ଲୋୟର ଇନ୍ଦ୍ର ପାଇଁ ୧୦୪ କୋଟି ୮୫ ଲକ୍ଷ ଟଙ୍କା, ମୟୁରଭଞ୍ଜର ସୁବର୍ଣ୍ଣରେଖା ପ୍ରକଳ୍ପ ପାଇଁ ୬୦୩ କୋଟି ୪୧ ଲକ୍ଷ ଟଙ୍କା, କେନ୍ଦୁଝର ଭଦ୍ରକର ଆନନ୍ଦପୁର ଫେଜ ୧ ବ୍ୟାରେଜ ଓ ସମନ୍ୱିତ ଆନନ୍ଦପୁର ବ୍ୟାରେଜ ପାଇଁ ୨୮ କୋଟି ଟଙ୍କା ଓ କେଉଁଝରର କାନୁପୁର ବ୍ୟାରେଜ ପାଇଁ ୧୩୩ କୋଟି ୯୧ ଲକ୍ଷ ଟଙ୍କା କେନ୍ଦ୍ରୀୟ ସହାୟତା ଦିଆଯାଇଛି ଏହି ଭଳି ଏହି ୮ଟି ପ୍ରକଳ୍ପକୁ ଗତ ୭ ବର୍ଷରେ ତଥା ୨୦୧୬ରୁ ୨୦୨୨ ମଧ୍ୟରେ ସମୂଦାୟ ପ୍ରାୟ ୧୨୦୮ କୋଟି ୮୬ ଲକ୍ଷା ଟଙ୍କା ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାଯାଇଛି ।କେନ୍ଦ୍ରୀୟ ଯୋଜନାଗୁଡିକରୁ ଓଡିଶାକୁ ବିଶେଷ ଫାଇଦା ମିଳୁନାହିଁ । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅନ୍ତର୍ଗତ ଏଆଇବିପି କାର୍ଯ୍ୟକ୍ରମରୁ ଏହା ସ୍ପଷ୍ଟ ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା କହିଛନ୍ତି । ଚାଷ ଓ ଚାଷୀର ବିକାଶ ପାଇଁ ଜଳସେଚନର ଆବଶ୍ୟକତା ରାଜ୍ୟ ପାଇଁ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ କେନ୍ଦ୍ରୀୟ ଯୋଜନାରୁ ଜଳସେଚନ କ୍ଷେତ୍ରର ବିକାଶ ପାଇଁ ଓଡିଶାକୁ ସୁଫଳ ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ଓଡିଶାକୁ ନ୍ୟାୟ ପ୍ରଦାନ କରିବା ପାଇଁ ଶ୍ରୀ ପଣ୍ଡା ଦାବୀ କରିଛନ୍ତି ।

Leave A Reply

Your email address will not be published.