ବାରିପଦା : ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ (ଅଭୟାରଣ୍ୟ) ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପର୍ଯ୍ୟଟକଙ୍କ ଭ୍ରମଣ ଏବଂ ରାତ୍ରଯାପନ ପାଇଁ ମଙ୍ଗଳବାର ଖୋଲିଲା ପ୍ରବେଶ ଫାଟ । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ଟି. ଅଶୋକ କୁମାର ଏହି ସୂଚନା ଦେଇଛନ୍ତି । ଶିମିଳିପାଳ ଭ୍ରମଣ ପାଇଁ ପର୍ୟ୍ୟଟକ ମାନେ ସକାଳ ୬ଟାରୁ ୯ଟା ମଧ୍ୟରେ ପିଠାବଟା ଏବଂ ଯଶୀପୁର ନିକଟ କାଳିଆଣୀ ତନଖି ଫାଟକ ଦେଇ ପ୍ରବେଶ କରିପାରିବେ । ପିଠାବଟା ଫାଟକ ଦେଇ ୨୫ଟି ଯାନ ଏବଂ କାଳିଆଣି ଦେଇ ୩୫ଟି ଯାନ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି । ଏହି ଦୁଇଟି ପ୍ରବେଶ ଫାଟକରେ ହିଁ ଅନୁମତି ପତ୍ର ମିଳିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପ୍ରବେଶ ପୂର୍ବରୁ ପର୍ଯ୍ୟଟକମାନେ ସମସ୍ତ ନିୟମ ପାଳନ କରିବେ ବୋଲି ଲିଖିତନାମା ଦେବେ । ଅପରାହ୍ନ ୩ଟା ପୂର୍ବରୁ ସମସ୍ତ ପର୍ଯ୍ୟଟକ ଯୋରନ୍ଦା ଓ ବରେହିପାଣିରୁ ଜଳପ୍ରପାତରୁ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ସ୍ଥାନ ଛାଡ଼ିବାକୁ ନିର୍ଦ୍ଦେଶ ଥିବା ପ୍ରକାଶ ।
ଅଭୟାରଣ୍ୟ ମଧ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୁମାରୀ, ଗୁଡଗୁଡିଆ, ରାମତୀର୍ଥ, ବରେହିପାଣି ଓ ଯମୁଆଣିରେ ଥିବା ଡାକବଙ୍ଗଳାରେ ରାତ୍ରୀଯାପନ ପାଇଁ ପର୍ଯ୍ୟଟକମାନେ ୱେବସାଇଟ www.ecotourodisha.comରେ ଅଗ୍ରୀମ ଦେୟ ପୈଠକରି ଆରକ୍ଷଣ କରିବାକୁ ପଡ଼ିବ । ପ୍ରକଳ୍ପ ମଧ୍ୟକୁ ପ୍ରବେଶ କରିବା ସମୟରେ ପର୍ଯ୍ୟଟକଙ୍କୁ ଜଣେ ଗାଇଡ ନେବା ବାଧ୍ୟତାମୂଳକ । ପ୍ରବେଶ ସମୟରେ ପର୍ଯ୍ୟଟକଙ୍କ ପ୍ଲାଷ୍ଟିକ ପାଣି ବୋତଲରେ ଏକ ସ୍ୱତନ୍ତ୍ର ଟ୍ୟାଗ ଲଗାଯାଇ ଧାର୍ଯ୍ୟ ପରିମାଣର ଅର୍ଥ ନିଆଯିବ । ପର୍ଯ୍ୟଟକମାନେ ପ୍ରସ୍ଥାନ ତନଖି ଫାଟକରେ ବାହାରିବା ସମୟରେ ଉକ୍ତ ବୋତଲ ଏବଂ ଟ୍ୟାଗ ଦେଖାଇ ଜମା କରିଥିବା ଅର୍ଥ ଫେରି ପାଇବେ ବୋଲି ମୁଖ୍ୟ ବନସଂରକ୍ଷକ ସୂଚନା ଦେଇଛନ୍ତି ।