ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ଜମି ପ୍ରଦାନ କରିଥିବା ୧୦ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜମି ପ୍ରଦାନ କରିଥିବା ୧୦୭ ଜଣ ବ୍ୟକ୍ତି ଓ ୧୮ ଜଣ ମଠାଧିଶଙ୍କ ସମେତ ମୋଟ ୧୨୫ ଜଣଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ ପ୍ରକଳ୍ପ ଶିଳାନ୍ୟାସ ନିମନ୍ତେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ତିନିଦିନ ଧରି ଚାଲିଥିବା ଯଜ୍ଞର ପୂର୍ଣ୍ଣାହୂତି ଉତ୍ସବରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ପରେ ପତିତପାବନଙ୍କୁ ଦର୍ଶନ କରି ସାରିବା ପରେ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଐତିହାସିକ ଓ ଆଜି ଏକ ପବିତ୍ର ଦିନ ବୋଲି ଅଭିହିତ କରିଛନ୍ତି । ଶ୍ରୀ ମନ୍ଦିର ଚତୁଃପାଶ୍ୱରେ ସୁରକ୍ଷା କରିଡର ସହ ସବୁଜ ବଳୟ ଓ ସୌନ୍ଦର୍ଯ୍ୟକରଣ, ଚାରିପାଖରେ ଥିବା ମଠ ଓ ମନ୍ଦିରଗୁଡିକର ପୁନର୍ବିନ୍ୟାସ, ପ୍ରାୟ ୬ ହଜାର ଭକ୍ତଙ୍କ ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ, ପଶ୍ଚିମ ଓ ଦକ୍ଷିଣ ପାଶ୍ୱରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ, ପାନୀୟ ଜଳ, ଶୌଚାଳୟ, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ସାମଗ୍ରୀ ରଖିବା ସ୍ଥାନ ଆଦି ଏହି ପ୍ରକଳ୍ପର ଅଂଶ ବିଶେଷ ରହିଛି । ବଡଦାଣ୍ତର ବଳଗଣ୍ତି, ମାର୍କେଟ ଛକ, ସିଂହଦ୍ୱାର ସମ୍ମୁଖ ଆଦି ବିଭିନ୍ନ ସ୍ଥାନରେ ପାରମ୍ପରିକ ଆଧ୍ୟାତ୍ମିକ କାଯ୍ର୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ମନ୍ତ୍ରୀମଣ୍ତଳର ସଦସ୍ୟ, ସାଂସଦ ଏବଂ ବିଧାୟକ ଗଣ, ବରିଷ୍ଠ ପଦାଧିକାରୀ, ଗଜପତି ମହାରାଜ ଦିବ୍ୟସିଂହ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର, ୫ଟି ସଚିବ ଭି.କେ. ପାଣ୍ତିୟାନ, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ, ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.