- ୧୦ ବର୍ଷ ଭିତରେ ଲୋକଙ୍କ ପ୍ରାୟତଃ ଦାବି ପୁରଣ କରାଯାଇଛି : ନରସିଂହ
- ଉଭୟେ ସରକାର ଭୋଟ ପାଇଁ ଶାସ୍ତ୍ର ବିରୋଧୀ କାମ କରୁଛନ୍ତି : ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚନ୍ଦନଭାଟି କଲ୍ୟାଣ ମଣ୍ଡପ ପ୍ରଥମ ମହଲା ଶିଳାନ୍ୟାସ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଅବସରରେ ସେ କହିଛନ୍ତି ଯେ, ବର୍ତ୍ତମାନ ଦେଶ ତଥା ରାଜ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ଭୁଆଁ ବୁଲାଇବାରେ ବ୍ୟସ୍ତ ଅଛନ୍ତି । କେନ୍ଦ୍ର ସରକାର ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ର ଅସମ୍ପୁର୍ଣ୍ଣ ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବ୍ୟଗ୍ର ଥିବା ବେଳେ ରାଜ୍ୟ ସରକାର ଜଗତର ନାଥ ଜଗନ୍ନାଥଙ୍କୁ ଡାଲା ଗାଡିରେ ଗାଁ ଗାଁ ବୁଲାଇ ଚାଉଳ ମାଗୁଛନ୍ତି ଯେଉଁ ଚାଉଳ କି ଭଗବାନଙ୍କ କାମରେ ଲାଗିବ ନାହିଁ । ତେଣୁ ସରଳ ସାଧାରଣ ଜନତା ସଚେତନ ରୁହନ୍ତୁ ଓ ପ୍ରତିକ୍ରିୟାଶୀଳ ହୁଅନ୍ତୁ କାରଣ ଭଗବାନଙ୍କ ନାଁ ନେଇ ସରଳ ଲୋକଙ୍କର ଭୋଟ ହତେଇବା ପାଇଁ ଉଭୟେ ଶାସ୍ତ୍ର ବିରୋଧୀ କାମ କରୁଛନ୍ତି ବୋଲି ଆଜି ଚନ୍ଦନଭାଟିଠାରେ ମେହେରପଡା କଲ୍ୟାଣ ମଣ୍ଡପର ଉପର ମହଲା ଶିଳାନ୍ୟାସ ପରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ହୋଇଥିବା ଏକ ସାଧାରଣ ସଭାରେ ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ସରକାରମାନେ ଏପରି ଧର୍ମ ବିରୋଧୀ କାମ କରୁଛନ୍ତି ଯାହାକି ଧର୍ମଗୁରୁ ଶଙ୍କରାଚାର୍ଯ୍ୟମାନେ ଘୋର ବିରୋଧ କରୁଛନ୍ତି । ତଥାପି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ମିଛ କହିବାକୁ ନିଜର ପ୍ରାଥମିକତା ହିସାବରେ ନେଉଛନ୍ତି । ଚନ୍ଦନଭାଟି ଅଂଚଳର ଲୋକଙ୍କ ଦାବି ମୁତାବକ ଗତ ୧୦ ବର୍ଷ ଭିତରେ ପ୍ରାୟତଃ କାମ କରାଯାଇଛି, ଯଦି କିଛି ବାକି ଥିବ ନିଶ୍ଚିତ ଭାବରେ ତାକୁ ମଧ୍ୟ ପୁରଣ କରାଯିବ ବୋଲି କହିବା ସହ ନିର୍ମାଣ ହେଉଥିବା ଜଗନ୍ନାଥ ମନ୍ଦିରର ସମ୍ପୂର୍ଣ୍ଣ କରିବା ପାଇଁ ସେ ନିଶ୍ଚିତ ଭାବରେ ନିଜ ତରଫରୁ ଆହୁରି ସାହାର୍ଯ୍ୟ କରିବେ ବୋଲି କହିଥିଲେ । ଏଆଇସିସି ସମରେନ୍ଦ୍ର ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ କଂଗ୍ରେସ ଦଳ ସବୁବେଳେ ଲୋକଙ୍କ ସମସ୍ୟା ଓ ତାର ସମାଧାନକୁ ନେଇ ରାଜନୀତି କରେ । ଯଦି ରାଜ୍ୟରେ କଂଗ୍ରେସ ସରକାର କରେ ଆଗାମୀ ଦିନରେ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଋଣ ମାଫ କରାଯିବାର ଗେରେଣ୍ଟି ଦିଆଯିବ । ତା’ସହ ବଲାଙ୍ଗିର ବିଧାୟକ ବହୁ ଦିନରୁ ବାର୍ଦ୍ଧକ୍ୟ ଭତ୍ତା ପୁରୁଷଙ୍କ ପାଇଁ ୨୦୦୦ ଓ ମହିଳାଙ୍କ ପାଇଁ ୨୫୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବୀ କରୁଛନ୍ତି । କଂଗ୍ରେସ ସରକାର କଲେ ଏହା ନିଶ୍ଚିତ ଭାବରେ ପୁରଣ କରାଯିବ ଓ ତା’ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୫୧୬ ଟଙ୍କାକୁ ବୃଦ୍ଧି କରାଯିବାର ଗ୍ୟାରେଣ୍ଟି ଦିଆଯିବ ବୋଲି ସମରେନ୍ଦ୍ର କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରଚେଷ୍ଟାରେ ମେହେରପଡାଠାରେ ସୁକତେଲ ନଦୀ ତଟରେ ଏକ ଭବ୍ୟ କଲ୍ୟାଣ ମଣ୍ଡପର ନିର୍ମାଣ ହୋଇ ଲୋକଙ୍କ କାମରେ ଆସୁଛି । ଏହାର ପ୍ରଥମ ମହଲା ପାଇଁ ଅଞ୍ଚଳର ଲୋକେ ଦାବି କରୁଥିଲେ । ସେଥିପାଇଁ ପୁଣିଥରେ ବିଧାୟକ ଶ୍ରୀ ମିଶ୍ର ପଶ୍ଚିମ ଓଡିଶା ବିକାଶ ପରିଷଦକୁ ପ୍ରସ୍ତାବ ପଠାଇ ଏହାର ପାଣ୍ଠି ୩୫ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପର ଉପର ମହଲାର ଆଜି ଭିତ୍ତି ପ୍ରସ୍ତର ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମମାନଙ୍କରେ ଚନ୍ଦନଭାଟି ବରିଷ୍ଠ ନାଗରିକ କପିଳେଶ୍ୱର ପାଣିଗ୍ରାହୀ, ରାମ ପ୍ରଧାନ, ସମିତି ସଭ୍ୟ ସଙ୍ଗିତା ପାଣିଗ୍ରାହୀ, ଲିଙ୍ଗରାଜ ମେହେର, ମହାରାଜା ମେହେର, ବଳରାମ ମେହେର, ରାଜେଶ ସେନାପତି, ଛଲୁ ମେହେର, ଦେବ ପ୍ରଧାନ, ସଙ୍କିର୍ତ୍ତନ ମେହେର, ପଞ୍ଚାନନ ମେହେର, ପ୍ରକାଶ ବରାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପାଣିଗ୍ରାହୀଙ୍କ ସମେତ ଅନେକ ଲୋକ ଉପସ୍ଥିତ ଥିଲେ ।