ଜଙ୍ଗଲୀ ମାଂସ ସହ ଦୁଇ ଶିକାରୀ ଗିରଫ

ଅନୁଗୁଳ : କରୋନା ମହାମାରୀର ଦ୍ୱିତୀୟ ଲହରୀରେ ପୁରା ଦେଶ ଡରି ରହିଥିବା ବେଳେ କିଛି ଶିକାରୀ ମାନଙ୍କ ପାଇଁ ଏହା ଆଶୀର୍ବାଦ ହୋଇଛି । ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ହେବାପରେ ଶିକାରୀ ମାନେ ସକ୍ରିୟ ହୋଇଉଠିଛନ୍ତି । ଏପରି ଶିକାର କରୁଥିବା ୨ଜଣଙ୍କୁ ବନବିଭାଗ ଗିରଫ କରିଥିବାବେଳେ ଅନ୍ୟ କିଛି ଲୋକଙ୍କୁ ପଚରା ଉଚରା କରୁଛି ।
ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ କାର୍ୟ୍ୟରତ ଥିବା ବନ କର୍ମଚରୀମାନଙ୍କ ଭିତରୁ ୧୧ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଥିବା ବେଳେ ବହୁ କର୍ମଚାରୀ ସଂଗରୋଧରେ ଅଛନ୍ତି । ଅଭୟାରଣ୍ୟରେ କାର୍ୟ୍ୟରତ ଫରେଷ୍ଟର, ଫରେଷ୍ଟଗାର୍ଡ ଓ ୱାଚର ମଧ୍ୟ ସଂଗରୋଧରେ ଥିବା ବେଳେ ଏହା ଶିକାରୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । ସେମାନେ ଜଙ୍ଗଲରୁ ବାରହା, କୁଟୁରା, ହରିଣ ଓ ସମ୍ବର ଆଦିର ଶିକାର କରି ଖାଉଥିଲେ । ବନବିଭାଗ ଏ ନେଇ ସୂଚନା ପାଇବା ପରେ ଶିକାରୀଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଗିରଫ ହୋଇଥିବା ଦୁଇଜଣ ହେଲେ କଟକ ଜିଲ୍ଲାର ବାହାଡ଼ା ଗାଁର ରଂଜନ ପ୍ରଧାନ ଓ ଖଳି ସାହିର ଶ୍ରୀନିବାସ ଖଟୁଆ । ସେମାନଙ୍କ ପାଖରୁ ଜଙ୍ଗଲୀ ମାଂସ ଜବତ ହୋଇଛି ।

Leave A Reply

Your email address will not be published.