ନୂଆପଡ଼ା ବିରୋମାଲ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର : “ପ୍ରବାସ ଶ୍ରମିକ ମୁକ୍ତ ଓ ଉନ୍ନତ ପଞ୍ଚାୟତ” ଗଠନ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବ୍ଲକ ଅନ୍ତର୍ଗତ ବିରୋମାଲ ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ନିରାକରଣ ନିମନ୍ତେ ଏକ ବ୍ୟାପକ ସଚେତନତା ଶିବିର ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡଃ. ଧନେଶ୍ୱର ସେଠୀ, ବିଡିଓ ରୋହିତ ଭୋଇ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନିରା ଚନ୍ଦ୍ରକାର ଓ ସମିତି ସଦସ୍ୟା ଶ୍ରୀମତୀ ଗାୟତ୍ରୀ ବାଇ ମାଝୀ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସଭା ପରିଚାଳନା କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସଭାରେ ବିଭିନ୍ନ ବିଭାଗର ଅଧିକାରୀମାନେ ଶ୍ରମିକ, କୃଷକ, ମହିଳା ଓ ସାଧାରଣ ଲୋକଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିଥିଲେ । ନିଜ ଅଭିଭାଷଣରେ ଜିଲ୍ଲାପାଳ କହିଥିଲେ ଯେ, ଜିଲ୍ଲାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ଫଳରେ ନୂଆପଡ଼ା ରାଜ୍ୟ ଓ ଜାତୀୟ ସ୍ତରରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି । ପ୍ରବାସୀ ଶ୍ରମିକ ସମସ୍ୟା ନିରାକରଣ ପାଇଁ ଲୋକଙ୍କ ସହଭାଗିତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରତି ଶ୍ରମିକ ପରିବାରକୁ ୩୦୦ ଦିନର କାମ ଯୋଗାଇ ଦେବା ଲକ୍ଷ୍ୟ ରହିଥିବା ସହିତ ଗ୍ରାମରେ ରହି ଆର୍ଥିକ ସ୍ୱାବଳମ୍ବନ ହାସଲ କରିବାକୁ ସେ ଆହ୍ୱାନ ଦେଇଥିଲେ । ସମସ୍ତେ ମିଶିମିଶି ପ୍ରବାସମୁକ୍ତ ଗ୍ରାମ ପଞ୍ଚାୟତ ଗଢ଼ିବା ପାଇଁ ସେ ଆହ୍ୱାନ କରିଥିଲେ । ଅବୈଧ ମଦ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ମଧ୍ୟ ସେ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ “ଝିଅ ପାଇଁ ଗଛଟିଏ” ଓ “ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ” ପାଳନ କରାଯାଇଥିଲା । ଜିଲ୍ଲାପାଳ ଦୁଇ ନବଜାତ କନ୍ୟା ଶିଶୁଙ୍କୁ କୋଳରେ ଧରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ ଚାରା ଓ ଉପହାର ପ୍ରଦାନ କରିଥିଲେ । ଗର୍ଭବତୀ ମହିଳାମାନଙ୍କୁ ପୃଷ୍ଟିକର ଖାଦ୍ୟ ଓ ଉପହାର ବଣ୍ଟନ କରାଯାଇଥିଲା । ସ୍ଥାନୀୟ ସ୍କୁଲ୍ ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ଓ ୧୦୦ ଦିନରୁ ଅଧିକ କାମ କରିଥିବା ଶ୍ରମିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକମାନଙ୍କୁ ପରିଚୟ ପତ୍ର, ମୃତ୍ୟୁ ସହାୟତା, ବିବାହ ସହାୟତା, ଶିକ୍ଷା ଓ ମାତୃତ୍ୱ ସହାୟତା ପ୍ରଦାନ କରାଯାଇଥିଲା । ୧୦ ଜଣଙ୍କୁ ନିର୍ମାଣ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଧରମବନ୍ଧା ଗ୍ରାମ ପଞ୍ଚାୟତର ପତୋରା ଗ୍ରାମର ୭ ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସିରୋନାମା ପ୍ରଦାନ କରାଯାଇଥିଲା । ମଧୁବାବୁ ପେନସନ ଯୋଜନାରେ ନୂତନ ୫ ଜଣ ହିତାଧିକରୀଙ୍କୁ ପ୍ରଥମ କିସ୍ତି ପେନସନ ବଣ୍ଟନ କରାଯାଇଥିଲା । ଏହା ସହ ଏସଏଚଜି ସଦସ୍ୟ ରୁପଲତା ଚନ୍ଦ୍ରକାର, ଶିକ୍ଷକ ଗୋକୁଳରାମ ଦଣ୍ଡସେନା ଓ ଅବସରପ୍ରାପ୍ତ ଆଙ୍ଗନୱାଡ଼ି କର୍ମୀ ସଲ୍ୟା କୁମାରୀ ରଣାଙ୍କୁ “ସ୍ୱଚ୍ଛତା ଦୂତ ପୁରସ୍କାର” ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ କାର୍ଯ୍ୟକ୍ରମରେ “ପକ୍ଷୀ ପାଇଁ ଦିନଟିଏ” ପାଳନ କରାଯାଇ ପକ୍ଷୀମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା । ଶେଷରେ ଜିଲ୍ଲାପାଳ ଫେରନ୍ତା ପ୍ରବାସୀ ଶ୍ରମିକ ଦୀପେନ ରାଉତ ଓ ତାଙ୍କ ସ୍ତ୍ରୀ ଶ୍ରୀମତୀ କୁନ୍ତଳା ସତନାମୀଙ୍କୁ ସାକ୍ଷାତ କରି ସେମାନଙ୍କୁ ସରକାରୀ ସହାୟତା ଦେବା ସହ ଆଉ ପ୍ରବାସକୁ ନଯିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମରେ “ପ୍ରବାସମୁକ୍ତ ଓ ଉନ୍ନତ ପଞ୍ଚାୟତ” ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.