ମୁରିବାହାଲ ପଞ୍ଚାୟତି ହାଇସ୍କୁଲରେ ଜନଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତି ହାଇସ୍କୁଲଠାରେ ଆସନ୍ତା ଜନଗଣନା-୨୬ କାର୍ଯ୍ୟକୁ ସୁଚାରୁ ରୁପେ ପରିଚାଳନା ପାଇଁ ସୁପରଭାଇଜର ଓ ଏନୁମେରେଟରମାନଙ୍କ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଜନଗଣନା ଚାର୍ଜ ଅଫିସର ତଥା ତହସିଲଦାର ଜଗଦୀଶ କର୍ତ୍ତାମୀ, ବିଡିଓ ବାସନ୍ତୀ ସେଠୀ ଓ ବିଇଓ ଶାନ୍ତନୁ କୁମାର ପଢ଼ିହାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି । ପ୍ରଶିକ୍ଷଣ ଶିବିରରେ ବ୍ଲକ ଏଇଇ ଅବିନାଶ ମୁଦି, ଡବ୍ଲୁଇଓ ଭୀମରାମ ମାଝୀ, ଆର୍‌ଆଇ କୋଶଲ ବେହେରା ଓ ଅଭିଜିତ ସାହୁ ମାଷ୍ଟର ଟ୍ରେନର ଭାବେ ଯୋଗଦେଇ ସୁପରଭାଇଜର ଓ ଏନୁମେରେଟରମାନଙ୍କୁ ଜନଗଣନାର ବିଭିନ୍ନ ପ୍ରକ୍ରିୟା, ତଥ୍ୟ ସଂଗ୍ରହ ପ୍ରଣାଳୀ, ଫର୍ମ ପୂରଣ ଓ ଡିଜିଟାଲ ଆପ୍ଲିକେଶନର ବ୍ୟବହାର ବିଷୟରେ ସବିଶେଷ ଜ୍ଞାନ ଦେଇଥିଲେ । ପ୍ରଶିକ୍ଷକମାନେ ଜନଗଣନାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ଏହା ଦେଶର ଆର୍ଥିକ, ସାମାଜିକ ଓ ଜନସଂଖ୍ୟା ସମ୍ବନ୍ଧୀୟ ସଠିକ ତଥ୍ୟ ପ୍ରଦାନ କରି ନୀତି ନିର୍ଦ୍ଧାରଣରେ ମୂଲ୍ୟବାନ ଭୂମିକା ନିଭାଇଥାଏ । ଏଣୁ ପ୍ରତ୍ୟେକ ଗଣନାକାରୀଙ୍କୁ ନିଷ୍ଠା ଓ ସଠିକତା ସହ କାମ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହି ଅବସରରେ ଘରେଘରେ ସର୍ବେକ୍ଷଣ ପ୍ରଣାଳୀ, ନାଗରିକଙ୍କ ସହିତ ସୁସମ୍ପର୍କ ସ୍ଥାପନ ଓ ତଥ୍ୟ ନିଖୁଣ ଭାବେ ରେକର୍ଡ କରିବା ବିଷୟରେ ପ୍ରାୟୋଗିକ ଅଭ୍ୟାସ କରାଯାଇଥିଲା । ମୋଟ ତିନିଟି ବ୍ୟାଚରେ ତିନିଦିନ ଲେଖାଏଁ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ତହସିଲଦାର ଶ୍ରୀ କର୍ତ୍ତାମୀ ପ୍ରକାଶ କରିଛନ୍ତି । ଯୋଗଦାନକାରୀମାନେ ଏହି ପ୍ରଶିକ୍ଷଣ ଶିବିରକୁ ଉପଯୋଗୀ ଓ ଜ୍ଞାନବର୍ଦ୍ଧକ ବୋଲି ମତ ପ୍ରକାଶ କରିଥଲେ ।

Leave A Reply

Your email address will not be published.