କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଦୁର୍ଗାମାଧବ ଉଚ୍ଚ ବିଦ୍ୟାଳୟରେ ଜନଗଣନା ୨୦୨୭ ପାଇଁ ପ୍ରଥମ ପର୍ଯ୍ୟାୟ ତ୍ରିଦିବସୀୟ ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି । ପ୍ରଥମ କରି ଏକ ନୂଆ ରୂପ ଯାହାକି କମ୍ପ୍ୟୁଟରୀକରଣ ତଥା ଡିଜିଟାଲ ମୋଡରେ ଜନଗଣନା କରାଯିବ । ଏଥିପାଇଁ କଲମପୁର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଅଭିଜ୍ଞତା ସମ୍ପନ୍ନ ଶିକ୍ଷକ ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଜନଗଣନା ତାଲିମ ପ୍ରଦାନ କରାଯାଇଛି । ୨୦୧୧ ଜନଗଣନା ପରେ ଏହି କାର୍ଯ୍ୟକ୍ରମ ଡିଜିଟାଲ ମୋଡରେ ହେବ । ଏଣୁ ଏହି ତ୍ରିଦିବସୀୟ ତାଲିମ ଶିବିରରେ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ତାଲିମ ପ୍ରଦାନ କରାଯିବ ବୋଲି କଲମପୁର ତହସିଲ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରସରକାରଙ୍କ ସାଂକ୍ଷିକ ଅନୁସନ୍ଧାନକାରୀ ସୌରଭ ତିୱାରୀ ଯୋଗଦେଇ ଏହି ଶିବିରକୁ ଶୁଭାରମ୍ଭ କରି ଡିଜିଟାଲ ମୋଡରେ କିଭଳି ଜନଗଣନା କରିବେ ଏନେଇ ସମସ୍ତଙ୍କୁ ଅବଗତ କରିଛନ୍ତି । ଅତିରିକ୍ତ ତହସିଲଦାର ଦେବପ୍ରସନ୍ନ ଷଡ଼ଙ୍ଗୀ ପ୍ରଥମେ ସମସ୍ତଙ୍କୁ ସ୍ଵାଗତ କରିଥିବାବେଳେ ତହସିଲଦାର ସ୍ମରଣିକା ତୁଲ ଏହି ଜନଗଣନା କାର୍ଯ୍ୟକ୍ରମକୁ ନିର୍ଭୁଲ ଓ ସଠିକ ତଥ୍ୟ ସଂଗ୍ରହକରି ସମସ୍ତେ ନିଜ ଦାୟିତ୍ୱ ସମ୍ପନ୍ନ କରିବା ନେଇ ଗୁରୁତ୍ୱାରୋପ କରିଥିଲେ । ଏହି ତାଲିମ ଶିବିରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ କୁମାର ବେହେରା ଅଂଶଗ୍ରହଣ କରିଥିବାବେଳେ ମାଷ୍ଟର ଟ୍ରେନର ଭାବେ ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡ଼ା ଏବଂ ରାଜେନ୍ଦ୍ର କୁମାର ପ୍ରଧାନ ଯୋଗଦେଇ ତାଲିମ ପ୍ରଦାନ କରୁଛନ୍ତି । ବ୍ଲକ ଅନ୍ତର୍ଗତ ୪୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଶିବିରରେ ତାଲିମ ନେଉଛନ୍ତି । ରାଜସ୍ବ ପରିଦର୍ଶକ ତପୋବନ ବାରିକ, ରାଜସ୍ୱ ନିରୀକ୍ଷକ ସୁମନ୍ତ ପାତ୍ର, ତ୍ରିନାଥ ଭୋଳ ପ୍ରମୁଖ ଏହି ଶିବିରରେ ସହଯୋଗ କରିଥିଲେ ।
Next Post