ପିସିସି ସଭାପତି ଭକ୍ତ ଚରଣ ଦାସ ରାଉରକେଲାରେ, କଂଗ୍ରେସ ଶିବିର ଚଳଚଞ୍ଚଳ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଥମଥର ପାଇଁ ରାଉରକେଲା ଗସ୍ତରେ ଆସିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ତାଙ୍କ ସହ କଂଗ୍ରେସର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଆସି ରାଉରକେଲା ପାନପୋଷ ଗାନ୍ଧୀ ଛକରୁ ବାହାରିଥିବା ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପୂର୍ବାହ୍ନ ୧୧ଟାରେ ପାନପୋଷ ଗାନ୍ଧୀ ଛକରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପାନପୋଷରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରାରେ ତାଙ୍କୁ ନିଆଯିବା ପରେ ମୁଖ୍ୟମାର୍ଗ, ନାଲାରୋଡ଼, ପୁରୁଣା ଟ୍ୟାକ୍ସିଷ୍ଟାଣ୍ଡ, ବିଶ୍ରା ଛକ ଦେଇ ସେ ସେକ୍ଟର-୨୧ ସ୍ଥିତ କଂଗ୍ରେସ ଭବନରେ ପହଞ୍ଚିବାପରେ ସେଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗଦେଇ ଉଦବୋଧନ ଦେଇଥିଲେ । ବିଭିନ୍ନ ସମ୍ପ୍ରଦାୟର ଲୋକେ ଏହି ସଭାରେ ଉପସ୍ଥିତ ରହିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିସିସି ସଭାପତିଙ୍କ ଆଗମନକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଉଠିଥିଲା । ଶ୍ରୀ ଦାସ ଏହି ଅବସରରେ କହିଲେ ଯେ ଏକ ବିରୋଧୀ ଦଳ ଭାବେ ସ୍ଥାନୀୟ କଂଗ୍ରେସ ରାଜ୍ୟ ଓ କେନ୍ଦ୍ରର ଆହ୍ୱାନରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବାବେଳେ ସ୍ଥାନୀୟ ପ୍ରସଙ୍ଗକୁ ନେଇ ଯେପରି ଶାଣିତ ହେବା କଥା, ତାହା ହୋଇପାରୁନାହିଁ । ଏହାର କାରଣ ନୁହେଁ ଯେ ଏଠାରେ ନେତୃତ୍ୱର ଅଭାବ ରହିଛି । ବରଂ ଉପଯୁକ୍ତ ନେତୃତ୍ୱକୁ ଅନେକ ସମୟରେ ସୁଯୋଗ ମିଳୁନାହିଁ । ଜିଲ୍ଲା କଂଗ୍ରେସ ସଭାପତି ବାରମ୍ବାର ପରିବର୍ତ୍ତନ ହେଉଥିବା ଦୃଷ୍ଟିରୁ କେତେବେଳେ କାହା ଉପରେ ଦାୟିତ୍ୱ ନ୍ୟସ୍ତ ହେବ, ତାହା ସ୍ଥିର ହୋଇପାରୁନାହିଁ । ଅନ୍ୟ ଦୁଇ ରାଜନୈତିକ ଦଳ ଭଳି ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ଦାୟିତ୍ୱ ମିଳୁ ନ ଥିବାରୁ ରଣନୀତି ନିଦ୍ଧାରଣରେ ଏହା ପ୍ରମୁଖ ବାଧକ ସାଜିଛି । ଅପର ପକ୍ଷରେ ଉପର ରାଜନୀତିର ଖେଳ, ରାଉରକେଲା ରାଜନୀତି ପାଇଁ କାଳ ସାଜିଛି । ଉପରୁ ତଳ ପର୍ଯ୍ୟନ୍ତ ଚାଲିଥିବା ଗୋଷ୍ଠୀ କନ୍ଦଳ ପାଇଁ ଅନେକ ସମୟରେ ସୁଯୋଗ ଥାଇବି ଦଳକୁ ହତାଶ ହେବାକୁ ପଡ଼ୁଛି । ସୂଚନାଯୋଗ୍ୟ ଦୀର୍ଘବର୍ଷ ହେଲା ରାଉରକେଲା, ରଘୁନାଥପାଲ୍ଲୀ ଓ ପାଖ ପଡ଼ୋଶୀ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ଦଳର ନେତୃତ୍ୱ ନେବା ପରେ ରାଉରକେଲାକୁ ଭକ୍ତଙ୍କର ଏହି ପ୍ରଥମ ଗସ୍ତ । କିପରି ଏହା ନେତା ଓ କର୍ମୀଙ୍କ ମନୋବଳକୁ ଦୃଢ କରୁଛି, ତାହା ଦେଖବାକୁ ବାକି ରହିଲା । ସଭାପତି ପଦ ପାଇଁ କର୍ମକର୍ତ୍ତା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ପିସିସି ସଭାପତିଙ୍କ ଏହି ଗସ୍ତ ବେଳେ ଆଶାୟୀମାନେ ନିଜ ନିଜର କ୍ଷମତା ପାଇବା ଓ ଦଳକୁ ସଙ୍ଗଠିତ କରିବାକୁ ହେଲେ ଉପର ନେତୃତ୍ୱକୁ ସଶକ୍ତ ହେବାର ଆବଶ୍ୟକ‌ତା ଅଛି । ପିସିସି ସଭାପତି ଭକ୍ତ ଦାସ ଶୋଭାଯାତ୍ରା ସମୟରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ହେଲା ମନରେଗା ଯୋଜନା, ଟାଟା ପାୱାର ଦ୍ୱାରା ଅବୈଧ ସୁରକ୍ଷା ଜମା ଏବଂ ସ୍ମାର୍ଟ ମିଟର ପରିବର୍ତ୍ତନ, ବେକାରୀ, ଚାଷୀମାନଙ୍କୁ ଫସଲ ଉପରେ ପୂର୍ଣ୍ଣ ରୟାଲଟି ପାଇବା, ଦଲାଲ ରାଜର ଅନ୍ତ, ମହିଳାମାନଙ୍କ ଉପରେ ଅତ୍ୟାଚାରର ଅନ୍ତ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ । ଆଜି କଂଗ୍ରେସର ଏହି ଶୋଭାଯାତ୍ରାରେ କଂଗ୍ରେସ ଜିଲ୍ଲା ସଭାପତି ରାଉରକେଲାର ସାବୀର ହୁସେନ୍, ପୂର୍ବତନ ଜିଲ୍ଲା ସଭାପତି ବୀରେନ୍ଦ୍ର ନାଥ ପଟ୍ଟନାୟକ, ରବି ରାୟ, ଜ୍ଞାନେନ୍ଦ୍ର ଦାସ, ସୁନ୍ଦରଗଡ ବିଧାୟିକା ପ୍ରାର୍ଥିନୀ ଅମିତା ବିଶ୍ୱାଳ, ଦେବବ୍ରତ ବିହାରୀ, ପ୍ରବୋଧ ଦାସ, କୀର୍ତ୍ତନ ଦାସ, ରାମାନନ୍ଦ ଶ୍ରୀଚନ୍ଦନ, ସଂଖ୍ୟାଲଘୁ ସଭାପତି ଏଜାଜ୍ ଅଖତର, ତରୁଣ କୁଶଲ ଏବଂ ବହୁ ସଂଖ୍ୟାରେ ବରିଷ୍ଠ କଂଗ୍ରେସ ନେତା, ମହିଳା ଓ ଯୁବକର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.