ବିପୁଳିଙ୍ଗୀରେ ରୋଟାରୀ କ୍ଲବ ସୌଜନ୍ୟରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶୀତ ଋତୁ ପ୍ରାରମ୍ଭରେ ଲୋକଙ୍କୁ ରୋଗମୁକ୍ତ ରଖିବା ଉଦ୍ଦେଶ୍ୟ ନେଇ ଛତ୍ରପୁର ସ୍ଥିତ ରୋଟାରୀ କ୍ଲବ ତଥା ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବ୍ରହ୍ମପୁରର ମିଳିତ ସହଯୋଗରେ ସ୍ଥାନୀୟ ବିପୁଳିଙ୍ଗୀ ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସ୍ଵାସ୍ଥ୍ୟ ଶିବିର ଓ ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଡାକ୍ତରୀ ଦଳର ନେତୃତ୍ୱ ନେଇଥିଲେ ଡାକ୍ତର ଶ୍ୟାମସୁନ୍ଦର ମହାରଣା । ସେହିପରି ଡାକ୍ତର ସିଦ୍ଧାର୍ଥ ଶତପଥୀ, ଡାକ୍ତର ଜି. ବେଦ ବିକାଶ, ଡାକ୍ତର ସମରେନ୍ଦ୍ର ସାହୁ ଓ ହୋମିଓପଥିକ ଚିକିତ୍ସା ସହାୟକ ନୀଳମାଧବ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆସିଥିବା ଡାକ୍ତରୀ ଦଳ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଯକ୍ଷ୍ମା, ମଧୁମେୟ, ଥାଇରଏଡ଼ ତଥା ଗଣ୍ଠି ଯନ୍ତ୍ରଣା ଭଳି ଅନେକ ରୋଗରୁ କିପରି ହୋମିଓପଥିକ ଔଷଧ ସେବନ ଦ୍ୱାରା ମୁକ୍ତି ମିଳିପାରିବ ସେ ନେଇ ସମସ୍ତଙ୍କୁ ପରାମର୍ଶ ଓ ସଚେତନତା ଦେଇଥିଲେ । ରୋଟାରୀ କ୍ଲବ ସଭାପତି ତଥା ହାଇକୋର୍ଟ ଓକିଲ ପଦ୍ମ ଚରଣ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ପୂର୍ବାହ୍ନ ୯ ଘଟିକାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୨ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବାରେ ସହାୟତାର ହାଥ ବଢାଇଥିଲେ ଛତ୍ରପୁର ରୋଟାରୀ କ୍ଲବର ପୂର୍ବତନ ସଭାପତି ନିରଞ୍ଜନ ପାତ୍ର, ସମ୍ପାଦକ ଡମ୍ବୁରୁ ଧର ସାହୁ, ଉପ-ସଭାପତି ଡ଼ଃ. ଅଜୟ କୁମାର ତ୍ରିପାଠୀ, ଗଜପତି ଜିଲ୍ଲା ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ସ୍ଥାନୀୟ ସରପଞ୍ଚ ହୀନା ସେଠୀ, ସୁରେଶ ଦାଶ, ସମାଜସେବୀ ମନୋଜ ମିଶ୍ର, ଦୀନେଶ ମହାନ୍ତି, ଲକ୍ଷ୍ମଣ ସେଠି, ତ୍ରିନାଥ ପାତ୍ର, ବୈରାଗୀ ସାହୁ, ବୀରଭଦ୍ର ପାଣିଗ୍ରାହୀ, ଘନଶ୍ୟାମ ପାତ୍ର ଓ ସ୍ଥାନୀୟ ସମିତିସଭ୍ୟ । ସୂଚନାଯୋଗ୍ୟ ଯେ’ ଆଗକୁ ମଧ୍ୟ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନଜରରେ ରଖି ଏହିଭଳି ସ୍ୱାସ୍ଥ୍ୟ ସେବା ଶିବିର ଛତ୍ରପୁର ତଥା ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ କରାଯିବ ବୋଲି ସଭାପତି ରୋଟାରୀୟାନ୍ ପଦ୍ମ ଚରଣ ସାହୁ ସୂଚନା ଦେବା ସହ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ସମସ୍ତଙ୍କୁ ଧନ୍ୟବାଦ ଦେଇ ଏହି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

Leave A Reply

Your email address will not be published.