ତ୍ରିଦିବସୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବେଲପଡା : ବେଲପଡ଼ା ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଣ୍ଡଳରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବେଲପଡ଼ା ତହସିଲଦାର ଅଭିଷେକ କିଶାନ ଯୋଗ ଦେଇଥିଲେ । ଇଂରାଜୀ ଅଧ୍ୟାପିକା କୁମାରୀ ସଙ୍ଗୀତା ମେହେର ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ସକଳ ପଧାନଙ୍କ ସଭା ପରିଚାଳନାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ସଭା ପୂର୍ବରୁ ସକାଳ ୬ଟିରେ କୁଞ୍ଜବିହାରୀ ଅଗସ୍ତି ଯୋଗ ଶିକ୍ଷକ ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଅନେକ ଯୋଗ ଶିଖାଇଥିଲେ । ପରେ ବିଷୟ ବିଶେଷଜ୍ଞ ଭାବରେ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷା ବଲାଙ୍ଗିରର ଆଇଟି ଅଧ୍ୟାପକ ଜିତେନ୍ଦ୍ର ଦାଶ ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ ଅନେକ ତଥ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ । ପରେ ସାଗରରାଜ ନାୟକ ବିଷୟ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ । ଉଦ୍‌ଯାପନୀ ସଭାରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ସମସ୍ତ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ଏବଂ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଜିଲ୍ଲାସ୍ତରରୁ ଶତାଧିକ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ଏବଂ ପରିଶେଷରେ ବିକାଶ କୁମାର ସାହୁ ଇତିହାସ ଅଧ୍ୟାପକ ତଥା ବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.