- ମୋଟ ୪୪ଟି ଅଭିଯୋଗର ଶୁଣାଣି
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଓ ଏସପି ଅଭିଳାଷ ଜି ଉପସ୍ଥିତ ରହି ମୋଟ ୪୪ଟି ଅଭିଯୋଗର ଶୁଣାଣୀ କରିଥିଲେ । ଆବାସ ଯୋଜନା ବାବଦ ବକେୟା ମନରେଗା ଓ ବୋନସ ଅର୍ଥ ମିଳିନଥିବା ମୁରିବାହାଲର ରମେଶ ନାଗ, ହୁତାଶନ ପଧାନ, ଯଦୁମଣି ନାଗ ପ୍ରମୁଖ ହିତାଧିକାରୀ ଅଭିଯୋଗ କରିଥିଲେ । ଜଙ୍ଗଲ ଜମି ଅଧିକାର ଆଇନ ଅନ୍ତର୍ଗତ ପେରୁଆମାଲ ଓ ଦାଢ଼ିଆପଦର ଗ୍ରାମବାସୀ ବାସସ୍ଥଳୀ ଓ ବସତିର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । କୁମ୍ଭାରୀ ଗ୍ରାମର ମାଁ ମାହେଶ୍ୱରୀ ପାଣି ପଞ୍ଚାୟତ(୧)ରେ ଲାଗିଥିବା ଟ୍ରାନସଫରମର, ମୋଟର ଓ ବିଦ୍ୟୁତ୍ ସରଞ୍ଜାମ ପୋଡ଼ିବାର ୭ମାସ ବିତିଯାଇଥିଲେ ମଧ୍ୟ ଏହାର ମରାମତି ନ ହେବାରୁ ୫୦ଏକର ଜମି ଶୁଖିଲା ପଡ଼ିଥିବା ଆଇନଜୀବୀ ତଥା ଚାଷୀ କୁମାର ଚନ୍ଦ୍ର ଖମାରୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଏହାର ତୁରନ୍ତ ମରାମତି କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ମୁରିବାହାଲ ପଞ୍ଚାୟତକୁ ଲୋୟର ଇନ୍ଦ୍ର ଜଳସେଚନ ଯୋଜନାରେ ସାମିଲ କରିବା ପାଇଁ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ଚାଷୀ ବାଳକୃଷ୍ଣ ବଘାର, କିଶୋର ରଣା ପ୍ରମୁଖ ଲିଖିତ ଅଭିଯୋଗ କରିଥିଲେ । ସେହିପରି ବ୍ଲକ ଅଞ୍ଚଳର ବହୁ ଜନସାଧାରଣ ବିଭିନ୍ନ ଆପତ୍ତି ଅଭିଯୋଗ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ଓ ଏସପି ବିଭିନ୍ନ ଅଭିଯୋଗ/ସମସ୍ୟା ଗୁଡିକର ଶୁଣାଣି କରିବା ସହିତ ସେଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ବଲାଙ୍ଗିରର ନୂତନ ସିଇଓ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ତରଣିସେନ ସୁନା, ଟିଟିଲାଗଡର ନୂତନ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ଏଡିଇଓ ପ୍ରବୀର କୁମାର ପଣ୍ଡା, ବିଡ଼ିଓ ବାସନ୍ତୀ ସେଠୀ, ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, ବିଇଓ ଶାନ୍ତନୁ କୁମାର ପଢ଼ିହାରୀ, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ, ନୂତନ ଜିପିଡିଓ ପ୍ରସନ୍ନ କୁମାର ନାଗ, ଏଇଇ ଅବିନାଶ ମୁଦି, ଆଇଆଇସି ସିପୋରା ସରାୟ ଲୁଗୁନ, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ରେଞ୍ଜର ଶିବପ୍ରସାଦ ନାୟକଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଶିବିରରେ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ, ଏଡିଇଓ , ଯୋଗାଣ ସହାୟକ, ଜିଓଟେଗ ଓ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।
