ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଚେତନା ଜାଗରଣ ଶିବିର ଅନୁଷ୍ଠିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଲାଦେରପାଲି ୱାର୍ଡ ନଂ ୯ ସ୍ଥିତ ହନୁମାନ ମନ୍ଦିର ନିକଟରେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଚେତନା ଜାଗରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ସକାଳ ୯ଟାରୁ ଗୁରୁ ବନ୍ଦନା ପୂର୍ବକ ଆରମ୍ଭ ହୋଇଥିଲା । ପରେ ଯୁଗ ଶକ୍ତି ମା’ ଗାୟତ୍ରୀଙ୍କ ଫଟୋ ଚିତ୍ରରେ ଷୋଡ଼ଶ ପଚାର ପୂଜନ କରାଯାଇ ଗାୟତ୍ରୀ ମନ୍ତ୍ରାହୁତି ପ୍ରଦାନ କରାଯାଇଥିଲା । ରାଷ୍ଟ୍ର ନିର୍ମାଣ ପାଇଁ ବର୍ତ୍ତମାନ ଯୁବଶକ୍ତିଙ୍କ ପ୍ରମୁଖ ଭୂମିକା ରହିଛି । ଚରିତ୍ରବାନ୍ ତଥା ସଂସ୍କାରବାନ୍‌ ଯୁବ ପିଢ଼ି ହିଁ ରାଷ୍ଟ୍ରର ଶ୍ରେଷ୍ଠ ସମ୍ପତ୍ତି । ଏଣୁ ଯୁବକମାନଙ୍କୁ ଖୋଜିବା, ପ୍ରଶିକ୍ଷିତ କରିବା, ସଂଗଠିତ କରିବା ତଥା ରାଷ୍ଟ୍ରର ନବ ନିର୍ମାଣରେ ସେମାନଙ୍କୁ ନିୟୋଜିତ କରିବା ହିଁ ଏହି ଯୁବ ଚେତନା ଜାଗ୍ରତ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ତେଣୁ ଯୁବ ଚେତନାକୁ ଜାଗ୍ରତ କରି ତାଙ୍କୁ ଉପଯୁକ୍ତ ମାର୍ଗ ଅଭିମୁଖେ ଅଗ୍ରସର କରିବା ପାଇଁ ଏହି ଶିବିରର ପରିକଳ୍ପନା ହୋଇଛି ବୋଲି ମତ ପ୍ରକାଶ ପାଇଥିଲା । ଏହି ଶିବିରକୁ ପରିଚାଳନା କରିଥିଲେ ଭୁବନେଶ୍ଵର ଜୋନର ଯୁବ ପ୍ରକୋଷ୍ଠ ପ୍ରଚାରକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ଓ ଦୁର୍ଗା ପ୍ରସାଦ ରଏ । ବରଗଡ଼ ଜିଲ୍ଲାର ଅତାବିରା ଗାୟତ୍ରୀ ପରିବାରର ସରୋଜ ପ୍ରଧାନ, ହେମନ୍ତ ମହାପାତ୍ର, ମାନଭଞ୍ଜନ କଠାର, ବନମାଳୀ କଠାର, ପ୍ରଶାନ୍ତ ସେଠ୍, ବିଭୂତି ବାରିକ୍ ସହଯୋଗ କରିଥିବା ବେଳେ ଅତାବିରା ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ ।

Leave A Reply

Your email address will not be published.