
- “ରେଡକ୍ରସର ବାର୍ତ୍ତାକୁ ପ୍ରଚାର ପ୍ରସାର କରିବାରେ ପରାମର୍ଶଦାତା ବ୍ରତୀ ହୁଅନ୍ତୁ”
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ପି.ଆର.ହାଇସ୍କୁଲର ସଭାଗୃହଠାରେ ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିର ଉଦ୍ଘଟେିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ରେଡକ୍ରସ ଆନ୍ଦୋଳନର ନୀତି, ଆଦର୍ଶ ତଥା ମୂଳମନ୍ତ୍ର ସ୍ୱାସ୍ଥ୍ୟ, ସେବା ଓ ବିଶ୍ୱବନ୍ଧୁତାକୁ ଆପଣେଇବା ପାଇଁ ସମସ୍ତ ପରାମର୍ଶଦାତାଙ୍କୁ ଆହ୍ୱାନ ଦେବା ସହ ରେଡକ୍ରସର ବାର୍ତ୍ତାକୁ ପ୍ରଚାର ପ୍ରସାର କରିବାରେ ବ୍ରତୀ ହୁଅନ୍ତୁ ବୋଲି କହିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ନିଜ ବକ୍ତବ୍ୟରେ ରେଡକ୍ରସର ସ୍ୱେଚ୍ଛାସେବୀମାନେ ସେବା ମନୋଭାବ ସହ ପ୍ରତିଟି କାର୍ଯ୍ୟକୁ ଆନ୍ତରିକ ସହ କରିବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ ସନାତନ ଠାକୁର ଓ ପର୍ଯ୍ୟବେକ୍ଷକ ଭାବେ ପ୍ରଧାନ ଶିକ୍ଷକ ନୀଳମଣି ପଟେଲ ଯୋଗଦେଇ ଜୁନିୟର ରେଡକ୍ରସର ଉପକାରିତା ଓ ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ଜୁନିୟର ରେଡକ୍ରସ ଅଫିସର ବିକାଶ ରଂଜନ ସାହୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ । ରାଜ୍ୟ ସାଧନକର୍ମୀ ରବିନ୍ଦ୍ର ଠେଟୁଆଲ ରେଡକ୍ରସର ଇତିହାସ ବିଷୟରେ ସମସ୍ତ ପରାମର୍ଶଦାତାଙ୍କୁ ଅବଗତ କରାଇଥିଲେ । ଶେଖ୍ ଅସରଫ ଓ ଜୟକୃଷ୍ଣ ନାୟକ ରକ୍ତଦାନର ମହତ୍ୱ ସଂପର୍କରେ କହିଥିଲେ । ଜିଲ୍ଲା ଓଡ୍ରାଫ ଟିମ ତରଫରୁ ରମେଶ ଚନ୍ଦ୍ର ମିଶ୍ର ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଭାବେ ସାବଧାନତା ଅବଲମ୍ବନ କରିବା ସେ ସଂପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଏହି ଶିବିରରେ ୧୨୦ ଜଣ ଜୁୁୁନିୟର ରେଡକ୍ରସ ପରାମର୍ଶଦାତା ଯୋଗଦେଇଛନ୍ତି । ଶିବିରରେ ଚିତ୍ତ ରଂଜନ ପଣ୍ଡା, ରଶ୍ମିରାଣୀ ଦାଶ, ପ୍ରଭାକର ଛନ୍ଦ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅରବିନ୍ଦ କୁମ୍ଭାର, ଯଦୁମଣୀ ବଗର୍ତ୍ତୀ, ରାଜେନ୍ଦ୍ର ଦୋରା ସାଧନକର୍ମୀ ଭାବେ ଯୋଗଦେଇଛନ୍ତି । ଶେଷରେ ଘନଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।