ସିରୋଲ ପଞ୍ଚାୟତରେ ସରକାରୀ ଯୋଜନାରେ ଶ୍ରମିକଙ୍କ ଅଧିକାର ଓ ପ୍ରାପ୍ୟ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି ମଙ୍ଗଳବାର ଏକ୍ସନ ଏଡ୍‌ ଦ୍ୱାରା (ଜନ ଜାଗରଣ ଦାଦନ ସଂଘ) ଅଜୀମ ପ୍ରେମଜି ଫାଉଣ୍ଡେସନ୍ ସହଯୋଗ ଦ୍ୱାରା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଗ୍ରାମ ପଞ୍ଚାୟତଠାରେ ଆଠ ଗୋଟି ପଞ୍ଚାୟତ ଯଥା ମୁରିବାହାଲ ବ୍ଲକର ସିରୋଲ, ବିଟାବନ୍ଧ, ମାଲିସିରା, ବାଙ୍କେଲ ଓ ଟିଟିଲାଗଡ଼ ବ୍ଲକର ନାରେନ, ମହୁଲପଡା, ବାଞ୍ଜିପଦର ଓ ବିଜେପୁର ଗ୍ରାମ ପଞ୍ଚାୟତର ହାରାହାରି ୩ଶହ ଜଣ ମହିଳା ଓ ପୁରୁଷ ଶ୍ରମିକମାନଙ୍କୁ ନେଇ ସରକାରୀ ଯୋଜନାରେ ଶ୍ରମିକଙ୍କ ଅଧିକାର ଓ ପ୍ରାପ୍ୟ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁରିବାହାଲ ବ୍ଲକର ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି, ବିଏସ୍‌ଏସ୍‌ଓ ରିଙ୍କୁ ମେହେର, ଚାଷୀ ନେତା ତଥା ଏନ୍‌ଏପିଏମ୍‌ର ସଦସ୍ୟ ଓ ମାଲିସିରା ୱାର୍ଡ ମେମ୍ବର ମୋହନ ଭୋଇ ଓ ସିରୋଲ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଗଙ୍ଗାଧର ଛତର ଅତିଥି ରୂପେ ଉପସ୍ଥିତ ରହିଥିଲେ । ଆଜିକାର ଶିବିରରେ ଲୋକଙ୍କ ମନରେଗା ମଜୁରୀ ଓ ଭତ୍ତା ତଥା କୃଷି ଉଦ୍ୟାନ ଉପରେ ଉପସ୍ଥାପନା କରିଥିଲେ । ଏହି ଅବସରରେ ବିଭିନ୍ନ ଗ୍ରାମର ଲୋକମାନେ ଦାବି ସମୂହ ପ୍ରତ୍ୟେକ ଶ୍ରମିକମାନଙ୍କୁ ଲେବର କାର୍ଡ ପ୍ରଦାନ କରାଯାଉ, ଅନ୍‌ଲାଇନ ମାଧ୍ୟମରେ ସରକାରୀ ଯୋଜନାର କାର୍ଯ୍ୟ ବନ୍ଦ କରାଯାଉ, ମାସକୁ ମାସ ପିଡିଏସ୍ ଚାଉଳ ବଣ୍ଟନ କରାଯାଉ, ଇ-ଶ୍ରମ କାର୍ଡର ସଂଶୋଧନ କରାଯାଉ, ଭତ୍ତା ରାଶି ୭ଶହ ଟଙ୍କାରୁ ୨ ହଜାର ଟଙ୍କା କରାଯାଉ, ଆବାସ କିସ୍ତି ଟଙ୍କା ଶୀଘ୍ର ମଞ୍ଜୁର କରାଯାଉ, ମମତା ରାଶି ଠିକ୍‌ ସମୟରେ ଦିଆଯାଉ, ମନରେଗା ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯାଉ ଓ ଠିକ ସମୟରେ ଟଙ୍କା ଦିଆଯାଉ, ଛାତ୍ରଛାତ୍ରୀମାନଙ୍କର ସ୍କୋଲାରସିପ୍‌ ଅର୍ଥ ଠିକ ସମୟରେ ଦିଆଯାଉ । ଏକ୍ସନଏଡ୍‌ର କେନ୍ଦ୍ରୀୟ ସଂଯୋଜକ ମୁରଲୀ ଚରଣ ଦାସ ସଭା ପରିଚାଳନା କରିଥିବା ବେଳେ ଗୋଷ୍ଠୀ ତାଲିମଦାତା ଦୁଲଣା ଛୁରା, ସଂଜୀବ ରଣା ଓ ସସ୍ମିତା ବାଗ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.