ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରେଞ୍ଜ ଅନ୍ତର୍ଗତ ଗାଇସିଲେଟ ସ୍ଥାୟୀ ନର୍ସରୀ ଠାରେ ଓଡିଶା ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବ୍ଲକସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ବରଗଡ଼ ଏସିଏଫ୍ ରାଜେନ୍ଦ୍ର ଗୋଚ୍ଛାୟତ, ପଦ୍ମପୁର ରେଞ୍ଜର ରାଜକ୍ରିଷ୍ଣ ଭୋଇ, ଗାଇସିଲେଟ ଥାନାଧିକାରୀ ବୀରବର ଭଗତ, ପରିବେଶ ପ୍ରେମୀ ମୀନକେତନ ସାହୁ, ଅଗ୍ନିଶମ ବିଭାଗର ଅଫିସର ଜଗଦୀଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ପ୍ରଥମେ ପ୍ରଦୀପ ପ୍ରଜ୍ଵଳନ କରି ସଭା କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଗାଇସିଲେଟ ବନପାଳ ସୁଦାମ ଜଗଦଲା ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ । ଗ୍ରୀଷ୍ମ ଦିନ ଆସୁଥିବାରୁ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ସମ୍ପଦ ନଷ୍ଟ ହେବା, ବନ୍ୟଜନ୍ତୁ କ୍ଷତିଗ୍ରସ୍ତ ହେବା ସହିତ ପରିବେଶ, ଜଳବାୟୁ ଓ ମଣିଷ ସମାଜ ଉପରେ ଏହାର କୁପ୍ରଭାବ ପଡ଼ୁଥିବା କଥା ସମସ୍ତ ଅତିଥିମାନେ କହିଥିବା ବେଳେ କେମିତି ଏହାର ନିରାକରଣ କରାଯାଇପାରିବ, ନିଆଁ ଦାଉରୁ କିଭଳି ଭାବରେ ଜଙ୍ଗଲକୁ ସୁରକ୍ଷା କରାଯାଇ ପାରିବ, ଜଙ୍ଗଲ ନିକଟସ୍ଥ ଗ୍ରାମର ଲୋକମାନଙ୍କୁ ସଚେତନ କରାଇବା ପାଇଁ ଓ ବନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମମାନେ ଆୟୋଜନ କରିବା ପାଇଁ ଏସିଏଫ୍ ଶ୍ରୀ ଗୋଛାୟତ ପ୍ରକାଶ କରିଥିଲେ ଏବଂ ସମସ୍ତଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଲୋକମାନଙ୍କୁ ସଚେତନ କରିବା ପାଇଁ ବନରକ୍ଷୀ ପଦ୍ମନ୍ ବେହେରା ନିଜେ ରଚନା କରିଥିବା ଏକ ସଙ୍ଗୀତ ପରିବେଷଣ କରିଥିଲେ । ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ଜଙ୍ଗଲ କମିଟିର ସମସ୍ତ ସଦସ୍ୟ, ଅଗ୍ନି ବିଭାଗ ଏବଂ ବନ ବିଭାଗର ସମସ୍ତ କର୍ମଚାରୀ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ପ୍ରକାଶ ହୋତା ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.