ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀଙ୍କ ସାତ ଦନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ସେବା ଯୋଜନା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ କାର୍ଯ୍ୟକ୍ରମ ଅଧିକାରୀଙ୍କ ସାତଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରିଛନ୍ତି । ଦୁଇଟି ପର୍ଯ୍ୟାୟରେ ଏହି ଶିବିରର ଆୟୋଜନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଜାନୁୟାରୀ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ୩୫ ଜଣ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହାପରେ ଜାନୁୟାରୀ ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ୫୦ଜଣ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଭାବେ ଯୋଗ ଦେବା ପାଇଁ ସାତଦିନିଆ ପ୍ରଶିକ୍ଷଣ ଶିବିର ବାଧ୍ୟତାମୂଳକ । ପୂର୍ବରୁ ପ୍ରଶିକ୍ଷଣ ପାଇଁ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଭୁବନେଶ୍ୱର ଓୟୁଏଟି ଅଧିନରେ ଥିବା ଇଟିଆଇ ଟ୍ରେନିଂ ସେଣ୍ଟରକୁ ଯିବାକୁ ପଡୁଥିଲେ । ଏହାସହ ଗତ ଦୁଇବର୍ଷ ଧରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବନ୍ଦ ଥିଲା । ଯାହାଫଳରେ ବହୁ କାର୍ଯ୍ୟକ୍ରମ ଅଧିକାରୀ ପ୍ରଶିକ୍ଷଣ ପାଇବାରୁ ବଞ୍ଚିତ ହେଉଥିଲେ । ଏହାସହ ଏନ୍‌ଏସ୍‌ଏସ୍‌ର ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ମଧ୍ୟ ଅକ୍ଷମତା ପ୍ରକାଶ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ପକ୍ଷରୁ ପ୍ରଥମ ଥର ପାଇଁ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପରିସରରେ ଥିବା ଏଚ୍‌ଆର୍‌ଡି ସେଣ୍ଟରରେ ଦୁଇଟି ପର୍ଯ୍ୟାୟରେ ସାତି ଦିନିଆ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । ଏଥିରେ ବ୍ୟୁରୋ ଅଧିନରେ ଥିବା ୮୫ ଜଣ ଅପ୍ରଶିକ୍ଷିତ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଏଥିରେ ପ୍ରଶିକ୍ଷଣ ଦିଆଯିବ । ଏହାସହ ବ୍ୟୁରୋର ନିଜସ୍ୱ ପାଣ୍ଠିରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ସ୍ମାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ କଲେଜରୁ ୩୫ଜଣ କାର୍ଯ୍ୟକ୍ରମ ଅଧିକାରୀ ଯୋଗଦେଇଛନ୍ତି । ଉଦ୍‌ଘାଟନ ଦିବସରେ କୁଳପତି କାର୍ଯ୍ୟକ୍ରମ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ସେବା ଯୋଜନାର କ୍ରିୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏନ୍‌ଏସ୍‌ଏସ୍‌କୁ ଅଧିକ ଗତିଶୀଳ କରିବାରେ କାର୍ଯ୍ୟକ୍ରମ ଅଧିକାରୀଙ୍କ ଭୂମିକା ଗୁରତ୍ୱପୂର୍ଣ୍ଣ ଥିବା ବେଳେ ସଠିକ ପ୍ରଶିକ୍ଷଣ ସେମାନଙ୍କୁ ମାର୍ଗଦର୍ଶନ ଦେବାରେ ସହାୟକ ହେବ ବୋଲି କୁଳପତି କହିଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତଥା ପୂର୍ବତନ ଏନ୍‌ଏସ୍‌ଏସ୍‌ ସଂଯୋଜକ ପ୍ରଫେସର ଅମୀୟ କୁମାର ପରିଚ୍ଛା ଏବଂ ପ୍ରଫେସର ଜେଏସ୍‌ ଗିରି ରାଓ ସମ୍ମାନୀତ ଅତିଥିରେ ଭାବେ ଯୋଗ ଦେଇ ବ୍ୟକ୍ତିତ୍ୱ ଓ ରାଷ୍ଟ୍ର ନିର୍ମାଣରେ ଏନ୍‌ଏସ୍‌ଏସ୍‌ର ଭୂମିକା ଉପରେ ଆଲୋଚନା କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ସଂଯୋଜକ ଡକ୍ଟର ଜୟନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିର ଆୟୋଜନ କରାଯାଉଛି । ଶିବିରରେ ଏନ୍‌ଏସ୍‌ଏସ୍‌ର ଆଭିମୁଖ୍ୟ, ବିଭିନ୍ନ ଯୋଜନା, ଚରିତ୍ରଗଠନରେ କାର୍ଯ୍ୟକ୍ରମ ଅଧିକାରୀଙ୍କ ଭୂମିକା, ପ୍ରକୃତିକ ବପର୍ଯ୍ୟୟ ପରିଚାଳନା, ପ୍ରାଥମିକ ଉପଚାର ଓ ଚିକିତ୍ସା ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯିବ । ପ୍ରତିଦିନ କାର୍ଯ୍ୟକ୍ରମ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ବିଭିନ୍ନ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିକାରୀ ଓ ପ୍ରଫେସରମାନଙ୍କୁ ନିୟୋଜିତ କରାଯାଇଛି । ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ସହୟତାରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି ।

Leave A Reply

Your email address will not be published.