ମହାଶିବରାତ୍ରୀ ପାଇଁ ଶୈବପୀଠରେ ଶତାଧିକ ଭକ୍ତଙ୍କ ସମାଗମ

  • ବିଦେଶୀ ଭକ୍ତଙ୍କ ଆରାଧନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପବିତ୍ର ମହାଶିବରାତ୍ରୀ ଜାଗର ଉତ୍ସବ ଅବସରରେ ଗାଁଠୁ ସହରର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି । ବାଲିଗୁଡା ତଥା ଏହାର ଆଖପାଖ ପ୍ରମୁଖ ଶିବମନ୍ଦିର ସମେତ ଅନ୍ୟନ୍ୟା ମନ୍ଦିରରେ ମଧ୍ୟ ବଢ଼ି ଭୋରୁ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ତଥା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବା ସହିତ ମହାଦେବଙ୍କୁ ଦର୍ଶନ କରିଛନ୍ତି । ଅଞ୍ଚଳର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଦଣ୍ଡପଦରର ଧବଳେଶ୍ୱର ମନ୍ଦିର, ଜଳେଶପଟ୍ଟାର ଜଳେଶ୍ୱର ମନ୍ଦିରରେ ସମସ୍ତ ପ୍ରକାର ନୀତିକାନ୍ତି ସହ ଦିନ ତମାମ ପୂଜା କାର୍ଯ୍ୟକ୍ରମ ଚାଲୁ ରହିଥିଲା । କେବଳ ସେତିକି ନୁହେଁ କନ୍ଧମାଳ ଜିଲ୍ଲାକୁ ଆସୁଥିବା ବିଦେଶୀ ଭକ୍ତମାନେ ଶ୍ରଦ୍ଧାର ସହ ଶିବ ଆରାଧନା ଓ ବାବା ଭୋଲେନାଥଙ୍କ ପୂଜା ଆରାଧନା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଆସ୍ଥା ଓ ବିଶ୍ୱାସର ଶିବରାତ୍ରୀରେ ଉପବାସ କରି ମାନସିକ ରଖିବା ସହ ଉଜାଗର ରହି ଦୀପ ଜାଳିଲେ ରୋଗ ବୈରାଗରୁ ମୁକ୍ତି ମିଳିବ ଏବଂ ଯାହା ମାନସିକ କରିଥିବ ତାହା ନିଶ୍ଚିତ ପୂରଣ ହେବ ବୋଲି ବର୍ଣ୍ଣିତ ରହିଛି । ରାତ୍ରିରେ ମହାଦୀପ ପ୍ରଜ୍ୱଳନ ଏବଂ ମାନସିକ ଓ ଉପବାସ ବ୍ରତ ରଖି ଥିବା ଶ୍ରଦ୍ଧାଳୁମାନେ ଜାଗର ଦୀପ ଜାଳିବା ପାଇଁ ପୂଜା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ବିଭିନ୍ନ ମନ୍ଦିରରେ ଭଜନ କୀର୍ତ୍ତନ ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ତେବେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପରିଚାଳନା କମିଟି ଓ ପୋଲିସ ବିଭାଗ ପକ୍ଷରୁ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.