କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଟାଉନ୍ ହଲ୍ କଟକ ଠାରେ ଅନୁଷ୍ଠାନର ୬୫ତମ ରାଜ୍ୟସ୍ତରୀୟ ପୁରାଣ ସାହିତ୍ୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କବି କବୟିତ୍ରୀ “ପୁରାଣ ସାହିତ୍ୟର ସାମାଜିକ ପ୍ରଭାବ” ଶୀର୍ଷକରେ କବିତା ପାଠ କରି ପୁରାଣ ସାହିତ୍ୟର ମହନୀୟତାକୁ ବ୍ୟାଖ୍ୟା କରିଥିଲେ । ଉକ୍ତ ଅବସରରେ ମୁଖ୍ୟଅତିଥି ବିଧାୟକ ସାରଦା ପ୍ରସାଦ ପ୍ରଧାନ କୈବଲ୍ୟ ସାହିତ୍ୟ ସଂସଦ ଓଡ଼ିଶାରେ ଏକମାତ୍ର ଅନୁଷ୍ଠାନ ଭାବେ ସର୍ବାଧିକ ପ୍ରତିଭା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ବର୍ଦ୍ଧିତ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ପୁରାଣ ସାହିତ୍ୟର କ୍ରମବିକାଶ ଧାରାକୁ ପ୍ରାଞ୍ଜଳ ଭାବେ ବ୍ୟାଖ୍ୟା କରି ଅମୃତମୟ ପରିବେଶ ସୃଷ୍ଟି କରିଥିଲେ । ମାନ୍ୟବର ବିଧାୟକଙ୍କୁ କୋଡ଼ିଏ ବର୍ଷରୁ ଅଧିକ କାଳ ଆଧ୍ୟାତ୍ମିକ ସେବା ପାଇଁ ଓଡ଼ିଶା ସେବାରତ୍ନ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା । ଉଦ୍ଘାଟକ ସାଧୁ ଗଦାଧର ଦାସ ମାନବ ସମାଜକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ପୁରାଣ ପଢ଼ିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ପୁରାଣ ସାହିତ୍ୟ ଆଧୁନିକ ସାହିତ୍ୟ ସରଂଚନା ପାଇଁ ମାର୍ଗଦର୍ଶନ ପ୍ରଦାନ କରିବ ବୋଲି ସ୍ପଷ୍ଟ କରିଥିଲେ । ସମ୍ମାନିତ ବକ୍ତା ଡ଼କ୍ଟର ପ୍ରଶାନ୍ତ କୁମାର ପଣ୍ଡା, ଅଡଶପୁର ସ୍ଵୟଂ ଶାସିତ ମହାବିଦ୍ୟାଳୟ କୈବଲ୍ୟ ସାହିତ୍ୟ ସଂସଦର ଆଧ୍ୟାତ୍ମିକ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ପଣ୍ଡିତ ରାଧାମୋହନ ତ୍ରିପାଠୀ, ପଣ୍ଡିତ ଶ୍ରୀକାନ୍ତ ମାହାର, ବିଦ୍ୟାଧର ସାହୁ, ଡ଼କ୍ଟର ଆରତୀ ତ୍ରିପାଠୀ ସାହିତ୍ୟିକା ଯୋଗଦାନ କରି ପୁରାଣର ଆଧ୍ୟାତ୍ମିକ ତତ୍ତ୍ଵ ବ୍ୟାଖ୍ୟା କରିଥିଲେ । ଉକ୍ତ ଅବସରରେ କବି ଓ ଲେଖକ ଅଜୟ କୁମାର ପଣ୍ଡାଙ୍କ “କ୍ଳାନ୍ତ ଅପରାହ୍ନ”, କବି ଜଗନ୍ନାଥ ପ୍ରଧାନଙ୍କ “ନିଜେ ଅଟଇ ଜଗୁ “, କବି ଗୁପ୍ତେଶ୍ୱର ଚାନ୍ଦଙ୍କ “ଅନୁଭୂତିର ମହକ” ଏବଂ ବୈଷ୍ଣବ ଚରଣ ଲେଙ୍କାଙ୍କ “ମା’ ଗୋଜବାୟାଣି ମହାପୁରାଣ” ପୁସ୍ତକର ଶୁଭ ଉନ୍ମୋଚନ କରାଯାଇଥିଲା । ସତ୍ୟ ସନାତନ ବୈଦିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମକବୋଧ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ବେଦପାଠ କରାଯାଇଥିଲା । ଛାତ୍ରୀ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ପ୍ରଥମ ଅଧିବେଶନରେ କବୟିତ୍ରୀ ପ୍ରବାସିନୀ ମିଶ୍ର ଏବଂ ସୁଜାତା ଦାସ ମହାନ୍ତି କବିତା ସଂଯୋଜନା କରିଥିଲେ । ଦ୍ଵିତୀୟ ଅଧିବେଶନରେ ଅସିତ୍ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶାସ୍ତ୍ରବିତ ଏବଂ ସାରସ୍ୱତ ସ୍ରଷ୍ଟାମାନେ ପୁରାଣ ପାଠ, କବିତା ପାଠ ଏବଂ ଗଳ୍ପ କଥନରେ ଅଂଶ ଗ୍ରହଣ କରିଥିଲେ । ଶହ ଶହ ସ୍ରଷ୍ଟା ମାନଙ୍କୁ ଉତ୍କଳ ଭକ୍ତି ନୈବେଦ୍ୟ ସମ୍ମାନ ଏବଂ ତିରିଶ ଜଣ ସାମ୍ବାଦିକଙ୍କୁ କୈବଲ୍ୟ ଭକ୍ତି ନୈବେଦ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । କବୟିତ୍ରୀ ଅନୁସୟା ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Next Post