ସିଏମ୍ କିଷାନ୍ ଯୋଜନା ସହାୟତାର ଶୁଭାରମ୍ଭ

  • ପ୍ରତି ବ୍ଳକ୍‌ରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ-ମୁଖ୍ୟମନ୍ତ୍ରୀ
  • ଗଞ୍ଜାମ ଜିଲ୍ଲାରେ ୨ ଲକ୍ଷ ୫୭ ହଜାର ୬ ଶହ ୪୪ ଜଣ ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ନୂଆଁଖାଇ ଅବସରରେ ନୂଆ ସରକାରଙ୍କ ଦ୍ୱାରା ସିଏମ୍ କିଷାନ୍ ଯୋଜନା ସହାୟତାର ଶୁଭାରମ୍ଭ ହୋଇଛି । ସମ୍ବଲପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପବିତ୍ର ନୂଆଁଖାଇ ଅବସରରେ ରବି କୃଷି ପାଇଁ ଅନୁକୂଳ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଅଭାସୀ ବୈଠକରେ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲା ପକ୍ଷରୁ ଯୋଗଦେଇଥିବା ମନୋନୀତ କୃଷି ପ୍ରତିନିଧିଙ୍କୁ ଉତ୍ସାହିତ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ପଣ୍ଡା ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ସମ୍ବନ୍ଧରେ କୃଷି ପ୍ରତିନିଧିଙ୍କୁ ଉତ୍ସାହିତ କରି ଅଧିକା ତଥ୍ୟ ଆଧାରରେ ବୁଝାଇଥିଲେ । ମୁଖ୍ୟମନ୍ତ୍ରୀ କିଷାନ୍‌ ଯୋଜନା ଏକ କୃଷକ କଲ୍ୟାଣକାରୀ ଯୋଜନା ଅଟେ । ଖରିଫ ଓ ରବି ଚାଷ ଋତୁ ଆରମ୍ଭ ପୂର୍ବରୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ବିହନ, ସାର ଓ ଔଷଧ କ୍ରୟ କରିବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଜଣାଯାଇଛି । ଏହି ଯୋଜନାରେ ଗଞ୍ଜାମ ଜିଲ୍ଲାରେ ସର୍ବମୋଟ୍‌ ୨ ଲକ୍ଷ ୫୭ ହଜାର ୬ ଶହ ୪୪ ଜଣ ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ପଣ୍ଡା ସୂଚନା ଦେଇଛନ୍ତି । ଏହି ଯୋଜନାରେ ବାର୍ଷିକ ୨ ଥର ନୂଆଁଖାଇ ଅବସରରେ ୨ ହଜାର ଟଙ୍କା ଏବଂ ଅକ୍ଷୟ ତୃତୀୟା ଅବସରରେ ୨ ହଜାର ଟଙ୍କା ଏହି ପରି ବାର୍ଷିକ ୨ ଥର ସର୍ବମୋଟ ୪ ହଜାର ଟଙ୍କା ସହାୟତା ଦିଆଯାଇଥାଏ । ଅଭାସୀ ମାଧ୍ୟମରେ ଅନୁଷ୍ଠିତ ଆନୁଷ୍ଠାନିକ ସଭାରେ ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏହା କୃଷି ଓ କୃଷକ ସଶକ୍ତିକରଣ କାର୍ଯ୍ୟରେ ଯଥେଷ୍ଟ ପରିମାଣରେ ସହାୟକ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.