jayashree

ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ସହିତ ବିଭିନ୍ନ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୁରୀ-ହାୱଡ଼ା (କୋଲକାତା) ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ କରିବା ସହିତ ବିଭିନ୍ନ ପ୍ରକଳ୍ପକୁ ଭିଡିଓ କନଫରେନ୍ସିଂ ଜରିଆରେ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଲୱେ ଷ୍ଟେସନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର ରେଲୱେ ଡିଭିଜନର କୋ-ଅର୍ଡିନେଟର ସନ୍ତୋଷ କୁମାର ଦେବାଙ୍ଗନ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ବିଶେଷ କରି ୫ଜି ନେଟୱାର୍କ ସେବା, ଜାପାନର ବୁଲେଟ ଟ୍ରେନ୍‌ ଭଳି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ପ୍ରଚଳନ ଯୋଗୁଁ ସମଗ୍ର ବିଶ୍ୱରେ ଆଜି ଆମ ଦେଶ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ନେଇ ଅତିଥିଗଣ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିସହିତ କଟକ ଓ ପୁରୀ ରେଳ ଷ୍ଟେସନର ଉନ୍ନତିକରଣ ତଥା ପୁନର୍ବିନ୍ୟାସ କାର୍ଯ୍ୟର ଶୁଭାରମ୍ଭ ସାଙ୍ଗକୁ ବିଛୁପାଲି-ଝାରତରଭା ଓ ଅନୁଗୁଳ-ସୁକିନ୍ଦା ରୋଡ଼ ନୂତନ ରେଳ ଲାଇନ, ସମ୍ବଲପୁର-ଟିଟିଲାଗଡ଼ ରେଳପଥର ଦୋହରୀକରଣ, ମନୋହରପୁର-ରାଉରକେଲା- ଝାରସୁଗୁଡା- ଜାମଗାଁ ତୃତୀୟ ରେଳ ଲାଇନ ତଥା ସମଗ୍ର ଓଡ଼ିଶାରେ ରେଳ ଲାଇନର ଶତ ପ୍ରତିଶତ ବୈଦ୍ୟୁତିକରଣ କାର୍ଯ୍ୟକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଳବାଇ ବାଣିଜ୍ୟ ନିରୀକ୍ଷକ ଚନ୍ଦ୍ରମଣି ରାଉତ, ଷ୍ଟେସନ ପରିଚାଳକ ମିତ୍ରଭାନୁ ମେହେର, ଆରଏସ ନାଗ, ସିସି ତନ୍ତୀ, ଶ୍ରୀ ପରିଡା, ଲୋଇସିଂହା ବିଧାୟକ ପ୍ରତିନିଧି ଗୌରାଙ୍ଗ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.