ଦିବ୍ୟସିଂହପୁର ଓ ଭାଗିରଥିପୁରରେ ମହାଆଡ଼ମ୍ବରରେ ଦେବ ଦମ୍ପତ୍ତିଙ୍କ ଶୁଭବିବାହ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଦିବ୍ୟସିଂହପୁର ଏବଂ ଭାଗିରଥୀପୁର ଶାସନ ଗ୍ରାମରେ ମହାଆଡମ୍ବର ସହକାରେ ହର-ପାର୍ବତୀଙ୍କ ଶୀତଳଷଷ୍ଠୀ ଯାତ୍ରା ସମାପନ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହେବା ସହ ଭବ୍ୟ ଶୋଭାଯାତ୍ରାରେ ବରକନ୍ୟା ରୂପରେ ପ୍ରଭୁ ମହାଦେବ ଓ ମାତା ପାର୍ବତୀଙ୍କ ଚଳନ୍ତି ବିଗ୍ରହ ପ୍ରତିମା ନଗର ପରିକ୍ରମଣ କରିଥିଲେ । ବରପିତା ଭାବେ ରାଧାଗୋବିନ୍ଦ ତ୍ରିପାଠୀ ଏବଂ କନ୍ୟା ପିତା ରୂପେ ପଣ୍ଡିତ ବାସୁଦେବ ମିଶ୍ରଙ୍କ ସୁପୁତ୍ର ତଥା ବରିଷ୍ଠ ସମ୍ବାଦିକ ସନ୍ତୋଷ କୁମାର ମିଶ୍ର ଏବଂ ଭାଗିରଥିପୁର ସାଶନରେ ବରପିତା ସୀମାଞ୍ଚଳ ରଥ ଓ କନ୍ୟା ପିତା ସୁରେନ୍ଦ୍ର ରଥ ଦେବ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । ଗୋଧୂଳି ଲଗ୍ନରେ ବାଜା, ବାଣ, ରୋଷଣୀ ଓ ପଟୁଆରରେ ଦେବ ଦେବ ମହାଦେବଙ୍କ ସହ ଶ୍ରଦ୍ଧାଳୁ ମାନେ ଗ୍ରାମ ପରିକ୍ରମା କରି ମଣ୍ଡପରେ ପହଂଚିବା ପରେ ଦେବ ଦମ୍ପତ୍ତିଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିବାହରେ କନ୍ୟାଘର ତରଫରୁ ମହାଦେବଙ୍କୁ ଯାନୀ ଯୌତୁକ ସହ ବନ୍ଦାଣ କରାଯାଇ ଅଭ୍ୟର୍ଥନା ଦେଇ ବିବାହ ସମାପନ ହୋଇଥିଲା । ଦେବ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ଉପଲକ୍ଷେ ଶହ ଶହ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦେବ ଦମ୍ପତ୍ତିଙ୍କ ଆଶୀର୍ବାଦ ନେଇଥିଲେ । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଦିବ୍ୟସିଂହପୁର ଗ୍ରାମ କମିଟି ସଭାପତି ସୁଧାଂଶୁ ଶେଖର ମିଶ୍ର, ସମ୍ପାଦକ ସୁଧାଂଶୁ ଶେଖର ଶତପଥୀ, ଦୁର୍ଗାଚରଣ ଶତପଥୀ, ପ୍ରଫୁଲ ଶତପଥୀ ପ୍ରମୁଖ ସୂଚାରୁ ରୂପେ ତୁଳାଇଥିଲେ । ଯାତ୍ରା କମିଟିରେ ଜଗନ୍ନାଥ ମିଶ୍ର, ଜଗଦୀଶ ତ୍ରିପାଠୀ, ଅକ୍ଷୟ ମିଶ୍ର ଏବଂ ଭାଗିରଥିପୁର ଶାସନ ଗ୍ରାମର ପରିଚାଳନା କମିଟି ସୁରେଶ ଚନ୍ଦ୍ର ମିଶ୍ର ସମ୍ପାଦକ, ନିରଞ୍ଜନ ମିଶ୍ର, ସୀମାଞ୍ଚଳ ରଥ ସଭାପତି, ପ୍ରତାପ କେଶରୀ ମିଶ୍ର, ଭାରତୀ ଭୂଷଣ ତ୍ରିପାଠୀ ଏବଂ ଗ୍ରାମବାସୀ ଉପସ୍ଥିତ ରହି ସୂଚାରୁ ରୂପେ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.