
ପୁରୀ : ଆସନ୍ତା ଶନିବାର ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି । ସେଥିପାଇଁ ବଡ଼ଦେଉଳରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ‘ଦୁଧ ମେଲାଣ’ ନୀତି । ଶ୍ରୀରାମ କୃଷ୍ଣ ମହାପ୍ରଭୁ ଶ୍ରୀମନ୍ଦିରରୁ ପାଲିଙ୍କିରେ ଆସି ଜଗନ୍ନାଥ ବଲ୍ଳଭରେ ବିଜେ ହେବେ । ଘଣ୍ଟ, ଛତା, କାହାଳୀ ସହ ମହାଭୋଇ ସେବକ ଗଉଡ଼ ଦେଇଥିବା ଦୁଧ ଭାର ନେଇ ଆସିବେ । ଠାକୁରଙ୍କୁ ମଣୋହି କରାଯିବ । ବାହୁଡ଼ା ବିଜେ କରି ଶ୍ରୀମନ୍ଦିରସ୍ଥ ମହାଲକ୍ଷ୍ମୀଙ୍କ ମନ୍ଦିରରେ ପଡ଼ିଥିବା ଖଟ ଉପରେ ଠାକୁରେ ବିଜେ ହେବେ । ସେଠାରେ ପ୍ରସାଦ ଲାଗି କରାଯିବ । ଶ୍ରୀମନ୍ଦିର ରୀତିନୀତି ଅନୁସାରେ ମକର ସଂକ୍ରାନ୍ତି ପୂର୍ବଦିନ ନବାଙ୍କ ବେଢ଼ା ଓ ଫୁଲ ମେଲାଣ ନୀତି ହୋଇଥାଏ । ନବାଙ୍କ ପୂର୍ବ ଦିନ ଦୁଧ ମେଲାଣ ନୀତି ହେବାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ନୀତି ଶେଷ ପରେ ଏହି ସ୍ୱତନ୍ତ୍ର ନୀତି ପାଳିତ ହେବ । ଏଥିସହ ଶ୍ରୀମନ୍ଦିରରେ ଗୁରୁବାର ମାଜଣା ଓ ଏକାନ୍ତ ନୀତି ମଧ୍ୟ ଅନୁଷ୍ଠିତ ହେବ ।