jayashree

ଦୁଇ ଅସହାୟ ମହିଳାଙ୍କୁ ସହାୟତା କଲେ ସମାଜ ସେବୀ ଶ୍ରୀକର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ୍‌ର ରଣ୍ଡା ଗାଁରେ ରହନ୍ତି ସ୍ୱାମୀହରା ଉର୍‌କୁଲି ନନ୍ଦ । ତିନୋଟି ପୁଅ ସହ ତାଙ୍କ ସଂସାର । ବଡପୁଅ ଶମ୍ଭୁର ତିନୋଟି ଝିଅ, କୁକୁଡା କୋକାନ କରି ଚଳୁଥିଲେ । ଏକ ଅଜଣା ଗାଡିର ଧକ୍କାରେ ତାଙ୍କର ମେରୁଦଣ୍ଡ ଭାଙ୍ଗିଗଲା । ସାନପୁଅ ରୋହିତର ନିଜ ଘର ଉପର ଛାତରେ ଯାଇଥିବା ୩୨ କେଭି ତାର ଲାଗି ଦେହର ୪୦ ପ୍ରତିଶତ ପୋଡି ଯାଇଛି । ବଲାଙ୍ଗିରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଙ୍ଗ୍‌ ହ୍ୟୁମାନ ଖବର ପାଇ ବର୍ତ୍ତମାନ ଉଭୟଙ୍କ ଚିକିତ୍ସାରେ ଲାଗି ପଡିଛନ୍ତି । ଆଜି ବିଙ୍ଗ୍‌ ହ୍ୟୁମାନର ଉପଦେଷ୍ଟା ସମାଜସେବୀ ଡ. ଶ୍ରୀକର ମିଶ୍ର ଏବଂ ଅନୁଷ୍ଠାନର ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବ୍ରଜଗୋପାଳ ସିଂହ, ସଭ୍ୟ ପ୍ରୀତମ ବରାଡ ଓ ରୋଶନ ସୁନା ରଣ୍ଡା ଗ୍ରାମକୁ ଯାଇ ଅସହାୟ ଉର୍‌କୁଲି ନନ୍ଦଙ୍କୁ ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଉଭୟଙ୍କ ଚିକିତ୍ସା ପାଇଁ ୧୦୮କୁ ଫୋନ କରି ଭୀମ ଭୋଇ ମେଡିକାଲ କଲେଜ ହସପିଟାଲ ସହ ଯୋଗାଯୋଗ କରିଛନ୍ତି ।

ପୁନଶ୍ଚ ବଲାଙ୍ଗିର ସଦର ବ୍ଲକ ବୁଡି ଅଂଚଲ ଖୁନ୍‌ଟପାଲି ଗ୍ରାମରେ ରହନ୍ତି ମଞୁଲତା ସାଏ । ତେର ବର୍ଷ ଆଗରୁ ସେ ସ୍ୱାମୀହରା । ଶାଶୁ ଫୁଲ ଓ ଶ୍ୱଶୁର ସତ୍ୟାନନ୍ଦ ସହ ତାଙ୍କର ଗୋଟିଏ ଝିଅ ଚିନୁ(୧୫) ଓ ଗୋଟିଏ ପୁଅ ଚନ୍ଦନ(୧୩) । ଝିଅ ଦଶମ ପଢୁଥିବା ବେଳେ ପୁଅ ଅଷ୍ଟମ ଶ୍ରେଣୀରେ ପଢୁଛି । ଚାଷ ଜମି ନ ଥିବାରୁ ଶ୍ୱଶୁର ଅଘରିଆ ଜାତିର ହେଲେ ମଧ୍ୟ ରାଜ ମିସ୍ତ୍ରୀ କାମ କରି ପରିବାର ପୋଷୁଥିଲେ । ଭାଗ୍ୟର ବିଡମ୍ବନା । ରୋଜଗାର କରୁଥିବା ସତ୍ୟାନନ୍ଦ କରୋନା ମହାମାରୀରେ ଆଖି ବୁଜିଲେ । ମଞୁଲତାର ସଂସାରରେ ଅକାଳ ଚଡକ ପଡିଲା । କିନ୍ତୁ ଜୀବନ ଯୁଦ୍ଧରେ ହାରି ନ ଯାଇ ସିଲାଇ କାମକୁ ଆଦରି ନେବା ପାଇଁ ମନସ୍ତ କଲେ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଯୋଗାଯୋଗ କ୍ରମେ ଆର୍ଷବିଦ୍ୟା ସେବା ସମିତି ତରଫରୁ ବ୍ରଜଭୁଷଣ ଦାଶ ଏକ ନୂଆ ସିଲାଇ ମେସିନ୍‌ ଯୋଗାଇ ଦେଲେ । ଏହି ଖବର ଗଣମାଧ୍ୟମରୁ ଜାଣିବା ପରେ ଆଜି ସମାଜସେବୀ ଡ.ଶ୍ରୀକର ମିଶ୍ର ସାମ୍ବାଦିକଙ୍କ ସହିତ ମଞୁଲତାଙ୍କ ଘରକୁ ଯାଇ ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି । ପୁଣି ମଞୁଲତାର ପୁଅ ଓ ଝିଅର ପଢାଖର୍ଚ୍ଚ ସହ ଝିଅ ବାହାଘରର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ପ୍ରତିଶୃତି ପାଇ ମଞୁଲତା ନିଜର ପରିବାରକୁ ବର୍ତ୍ତମାନ ଠିକ୍‌ରେ ଚଳେଇ ପାରିବେ ବୋଲି ଆଶା ରଖିଛନ୍ତି । ଏହି କାର୍ୟ୍ୟକ୍ରମରେ ଗ୍ରାମବାସୀଙ୍କ ସମେତ ପଣ୍ଡିତ ଅଭିମନ୍ୟୁ ମିଶ୍ର ସହଯୋଗ କରିଥିଲେ ।

ଏହି ଦୁଇ ଅସହାୟ ପରିବାରକୁ ସହଯୋଗର ହାତ ବଢାଇଥିବାରୁ ସମାଜସେବୀ ଶ୍ରୀ ମିଶ୍ରଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଗଣମାଧ୍ୟମରୁ ଜାଣି ସହଯୋଗର ହାତ ବଢାଇ ପାରିଥିବାରୁ ପ୍ରତିକ୍ରିୟାରେ ଶ୍ରୀ ମିଶ୍ର ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.