
ସିନାପାଲି, (ନିରାକାର ମେହେର) : ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଶନିବାର ସଂପନ୍ନ ହୋଇଯାଇଛି । ଗତକାଲି ଭୋରରୁ ନେହେରୁ ମଣ୍ତପ ସ୍ଥିତ ମାଉସି ମାଁ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାପାଠ ଆରମ୍ଭ ହେବା ସହ ଲୋକଙ୍କ ଭିଡ଼ ଆରମ୍ଭ ହୋଇଥିଲା । ଅପରାହ୍ନରେ ଶ୍ରୀଜୀଉଙ୍କ ପହଣ୍ତି ବିଜେ କରାଯାଇ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ଦ୍ୱାରା ତିନି ରଥରେ ଛେରାପହରା ପରେ ରଥଟଣା ଆରମ୍ଭ ହୋଇଥିଲା । ପାରମ୍ପରିକ ସଂପ୍ରଦା, ସଂକୀର୍ତ୍ତନ, ଢୋଳ, ନିଶାନ ଓ ଘଣ୍ଟ ବାଦ୍ୟ ସହ ମହିଳା ଶ୍ରଦ୍ଧାଳୁଙ୍କ ହୁଳହୁଳିରେ ସମଗ୍ର ପରିବେଶ ଦୁଳୁକି ଯାଇଥିଲା । ରଥଯାତ୍ରା ପରି ବାହୁଡ଼ାରେ ମଧ୍ୟ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣି ଥିଲେ । ସଂଧ୍ୟାରେ ଶ୍ରୀଜୀଉମାନେ ଜଗନ୍ନାଥ ମନ୍ଦିର ପ୍ରଙ୍ଗଣରେ ପହଂଚିଥିଲେ । ଆଜି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି, ସୁନାବେଶ ଓ ପରେ ନିଲାଦ୍ରୀ ବିଜେ କରାଯିବ ବୋଲି ସିନାପାଲି ମନ୍ଦିର ପରିଚାଳନା କମିଟିର ସଂପାଦକ ତୁଳସୀରାମ ମେହେର ଏବଂ ସହସଂପାଦକ ରୂପେଶ ଚଂଦ୍ର ମେହେର ସୂଚନା ଦେଇଛନ୍ତି । ଏଥିସହ ଏହି ବ୍ଲକ ଅନ୍ତର୍ଗତ ହାତୀବନ୍ଧା, କେନ୍ଦୁମୁଣ୍ତା, ବ୍ରାହ୍ମଣପଡ଼ା, ପତିଏଲପଡ଼ା, ଚଳନା, ଗୋର୍ଲା, ସାଗୁନଭାଡ଼ି, ଟିମନପୁର, ଜାମଗାଁ, ଅରସାପଡ଼ା, ଗଣ୍ତାବାହାଳି, ବରଗାଁ, ଗମ୍ଭାରିଗୁଡ଼ା, ସିଙ୍ଗଝର ଆଦି ଗ୍ରାମରେ ମଧ୍ୟ ଉଲ୍ଲାସର ସହ ବାହୁଡ଼ା ଯାତ୍ରା ସଂପନ୍ନ ହୋଇଥିବା ବେଳେ ସବୁଠି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।