centurian jitm

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନ

nschool
  • “ଶ୍ରମିକମାନେ ହିଁ ରାଷ୍ଟ୍ର ନିର୍ମାଣର ‘ବିଶ୍ଵକର୍ମା”

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ମହାକୁମାରେ ଆଜି ପର୍ବାହ୍ନରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମ ଦିବସ ପାଳିତ ହୋଇଯାଇଛି । କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ । ଲୋକଙ୍କ ସରକାର ଆସିବାର ସ୍ୱଳ୍ପ ଅବଧି ମଧ୍ୟରେ ଦୁଇଥର ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି । ଏହାସହ ନିର୍ମାଣ ଶ୍ରମିକଙ୍କ ପାଇଁ ସ୍ଵାଭାବିକ ମୃତ୍ୟୁ ସହାୟତା ୨ ଲକ୍ଷରୁ ୩ ଲକ୍ଷ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି କରାଯାଇଛି । ଯାହାକି ଶ୍ରମିକଙ୍କ ସାମାଜିକ ସୁରକ୍ଷା ଏବଂ ସାମଗ୍ରିକ ଉନ୍ନତିକୁ ସୁନିଶ୍ଚିତ କରିପାରିଛି । ଶ୍ରମିକମାନେ ହେଉଛନ୍ତି ବିକାଶର ମୁଖ୍ୟ ଆଧାର, ରାଜ୍ୟ ସରକାର ସେମାନଙ୍କ କଲ୍ୟାଣ ଓ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟ ଅତିଥି କହିଥିଲେ । ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ସମସ୍ତ ଶ୍ରମିକ ସମଗ୍ର ଦେଶର ୨୯,୦୦୦ରୁ ଉର୍ଦ୍ଧ୍ଵ ସରକାରୀ ଓ ପଞ୍ଜୀକୃତ ଘରୋଇ ଚିକିତ୍ସାଳୟରେ ଚିକିତ୍ସାର ସୁବିଧା ପାଇପାରିବେ । ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇବେ । ସେହିପରି ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକଙ୍କୁ ମିଳିତ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ହିତାଧିକାରୀଙ୍କୁ ମିଳିବ ବୋଲି ସେ କହିଛନ୍ତି । ସଭାରେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରମିକମାନେ ସେମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଅଧିକାର ସମ୍ପର୍କରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ଉପସ୍ଥିତ ଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନର ତାତ୍ପର୍ଯ୍ୟ ଓ ବଲାଙ୍ଗିର ଜିଲ୍ଲାରେ ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆନ୍ତର୍ଜାତିକ ଶ୍ରମ ଦିବସ ପାଳନ ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ବିବାହ ସହାୟତା ପାଇଁ ୮୬ ଜଣଙ୍କୁ ୪୩,୦୦,୦୦୦ ଟଙ୍କା, ହିତାଧିକାରୀଙ୍କୁ ମୃତ୍ୟୁ କାଳୀନ ସହାୟତା ପାଇଁ ୧୬ ଜଣଙ୍କୁ ୩୭,୦୦,୦୦୦ଟଙ୍କା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ପାଇଁ ୧୪ ଜଣଙ୍କୁ ୭୦,୦୦୦ ଟଙ୍କା, ଶିଶୁ ଜନ୍ମ ସହାୟତା ବାବଦରେ ୮ ଜଣଙ୍କୁ ୮୦,୦୦୦ ଟଙ୍କା, ପାଠପଢା ସହାୟତା ବାବଦରେ ୧୩ ଜଣଙ୍କୁ ୯୮,୪୦୦ ଟଙ୍କା ସମୁଦାୟ ୧୩୭ ଜଣଙ୍କୁ ୮୨,୪୮,୪୦୦ ଟଙ୍କାର ସହାୟତା ରାଶି ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ବଣ୍ଟନ କରିଥିଲେ । ୨୦୦ ଜଣ ହିତାଧିକାରୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଶ୍ରମିକ, ଜିଲ୍ଲା ଶ୍ରମ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.