ଅକ୍ଷୟ ଫ୍ୟାନ୍ସ କ୍ଲବ ପକ୍ଷରୁ ଗୀତା ପଟ୍ଟନାୟକଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସୁପରିଚିତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ବିୟୋଗ ଖବର ଅଗଣିତ ଓଡିଆ ସଂଗୀତ ଶ୍ରୋତାଙ୍କୁ ସ୍ତମ୍ବୀଭୂତ କରିଛି । ଏହି କାଳଜୟୀ ଗାୟିକାଙ୍କୁ ଅକ୍ଷୟ ଫ୍ୟାନ୍ସ କ୍ଲବ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କୋଏଲ ନଗର କଲ୍ୟାଣ ମଣ୍ଡପ ସମ୍ମୁଖରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାକୁ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଆଲୋକ ସ୍ୱାଇଁ ପ୍ରଦୀପ ଜଳାଇ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଅବିନାଶୀ ଆତ୍ମାର ସଦଗତି କାମନାକରି କ୍ଲବର ସଦସ୍ୟମାନେ ନୀରବ ପ୍ରାର୍ଥନା କରିବା ସହ ଗୀତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦୀପଦାନ କରିଥିଲେ । ସେହିପରି କ୍ଲବର ଉପଦେଷ୍ଟା ସଂଗୀତ ନିର୍ଦ୍ଦେଶକ କଣ୍ଠ ଶିଳ୍ପୀ ଭାସ୍କର ଚନ୍ଦ୍ର ପୁହାଣ ଦିବଂଗତ ଗୀତା ପଟ୍ଟନାୟକଙ୍କ ସ୍ମୃତିଚାରଣ କରି କିପରି ଅକ୍ଷୟ ମହାନ୍ତିଙ୍କ ପ୍ରେରଣା, ଦିଗଦର୍ଶନ ଓ ନିର୍ଦ୍ଦେଶନା ବଳରେ ବେତାରଠୁ ଆରମ୍ଭ କରି ଚଳଚ୍ଚିତ୍ର ଯାଏଁ ଅଜସ୍ର ଲଘୁ ସଂଗୀତ, ପଲ୍ଲୀ ଗୀତ, ଭଜନ ଓ ଆଧୁନିକ ଗୀତରେ କଣ୍ଠଦାନ କରି କୋଟି କୋଟି ଶ୍ରୋତାଙ୍କ ହୃଦୟ ଓ ମନରେ ବସାବାନ୍ଧି ପାରିଥିଲେ । ତାଙ୍କର ଗାୟନ ଶୈଳୀରେ ନିରୁତା ଓଡିଆ ମାଟିର ମହକ ତାଙ୍କୁ ଚିରକାଳ ଅମର କରି ରଖିଥିବ ବୋଲି ମତପ୍ରକାଶ କରିଥିଲେ । ସମାଜସେବୀ ସରୋଜ ନାୟକ ଆଗାମୀ ପିଢିର ଗାୟକ ଗାୟିକାମାନଙ୍କ ପାଇଁ ଗୀତା ପଟ୍ଟନାୟକ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ପ୍ରକାଶ କରିଥିଲେ । ଶେଷରେ ଅଜିତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.