ଶିବପ୍ରସାଦ ପାଣ୍ଡିଆଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ସମାରୋହ

  • ଶିବପ୍ରସାଦ ପାଣ୍ଡିଆ : ବିଚାର ଓ ବ୍ୟକ୍ତିତ୍ୱ ପୁସ୍ତକ ଲୋକାର୍ପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିପ୍ଳବୀ କବି ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ପରିସରରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଶିବପ୍ରସାଦ ପାଣ୍ଡିଆ ସ୍ମୃତି କମିଟି ଏବଂ ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ଏବଂ ଚିନ୍ତାନାୟକ ପ୍ରଫେସର ମଧୁସୂଦନ ପତି ସଭାପତିତ୍ୱ କରିଥିଲେ । ବରେଣ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ତଥା ବରିଷ୍ଠ ଆଇନଜ୍ଞ ନରସିଂହ ମିଶ୍ର, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ ତଥା ୟୁନାଇଟେଡ୍ କିଙ୍ଗ୍‌ଡମ୍ ସ୍ଥିତ ୟୁନିଭର୍ସିଟି ଅଫ୍ ବାଥ୍‌ର ପ୍ରଫେସର ଡ. ଅଜିତ ମିଶ୍ର ଏବଂ ସମ୍ବଲପୁର ସ୍ଥିତ ଆଇଆଇଏମ୍‌ର ଆସୋସିଏଟ୍ ପ୍ରଫେସର ଡ. ସୁଜିତ କୁମାର ପୃଷେଠ୍ ଯୋଗଦାନ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ବଲାଙ୍ଗିର ପଛୁଆ ଜିଲ୍ଲା ନୁହେଁ, ଏଠାରେ ଦକ୍ଷତାର ଅଭାବ ନାହିଁ ମାନସିକତାର ଅଭାବ ପରିଲକ୍ଷିତ ହେଉଛି ବୋଲି କହିଥିଲେ । ଏହି ଅବସରରେ ସେ ସ୍ୱର୍ଗତ ପାଣ୍ଡିଆଙ୍କ ଭଳି ଜଣେ ନିର୍ଭୀକ ଏବଂ ସାଧାରଣ ଲୋକଙ୍କ ପକ୍ଷଧର ସାମ୍ବାଦିକ ଆଉ ଦେଖିବାକୁ ମିଳୁନାହାନ୍ତି ବୋଲି କହିଥିଲେ । ଶିକ୍ଷାର ଉନ୍ନତି ବିନା କୌଣସି ଅଞ୍ଚଳର ପ୍ରଗତି ଅସମ୍ଭବ ବୋଲି କହିଥିଲେ । ଅନ୍ୟତମ ଅତିଥି ପ୍ରଫେସର ମିଶ୍ର ତାଙ୍କ ବକ୍ତବ୍ୟରେ ପୃଥିବୀର ବିଭିନ୍ନ କାଳଖଣ୍ଡରେ କିଭଳି ସୁନା, ଜମି, ଶ୍ରମ ଏବଂ ବଜାର ପ୍ରଭାବଶାଳୀ ହୋଇ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ କହିଥିଲେ । ତେବେ ଲୋକେ ଯାହା ଚାହିଁବେ ତା’ର ମୂଲ୍ୟ ଅଧିକ ରହିବ ବୋଲି କହିଥିଲେ । ଏହି ଅବସରରେ ସେ ସ୍ୱର୍ଗତ ପାଣ୍ଡିଆ ଏବଂ ସ୍ୱର୍ଗତ ପ୍ରଫେସର ରବିଶଙ୍କର ପାଣ୍ଡିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନ୍ୟତମ ଅତିଥି ପ୍ରଫେସର ପୃଷେଠ୍ ତାଙ୍କର ଦୀକ୍ଷାନ୍ତ ଅଭିଭାଷଣରେ ୧୮୯୩ ମସିହାରେ ମହାତ୍ମା ଗାନ୍ଧୀ, ବିବେକାନନ୍ଦ ଏବଂ ଅରବିନ୍ଦ ଘୋଷଙ୍କ ଯୁଗାନ୍ତକାରୀ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ସାମ୍ବାଦିକ ଗୌରବ ପାଣ୍ଡିଆଙ୍କ ଶୁକୁରୁ ଡୁଗୁରୁଙ୍କ ତୁଳନାତ୍ମକ ମୂଲ୍ୟାଙ୍କନ କରିଥିଲେ । ଆଜିର ସମୟରେ କିଭଳି ଅଧ୍ୟାପକ, କବି-ଲେଖକ ଏବଂ ସାମ୍ବାଦିକ ନିଜର ସ୍ୱାଧୀନ ମତବ୍ୟକ୍ତ କରିପାରୁନାହାନ୍ତି କି ଲେଖିପାରୁନାହାନ୍ତି କହିଥିଲେ । ସଭାପତୀୟ ଅଭିଭାଷଣରେ ପ୍ରଫେସର ମଧୁସୂଦନ ପତି ସାମ୍ପ୍ରତିକ ସମାଜର ଏକ ସ୍ଥୂଳଚିତ୍ର ଉପରେ କହି ସମୀକ୍ଷାର ବେଳ ଉପନୀତ ବୋଲି କହିଥିଲେ । ସ୍ୱର୍ଗତ ପାଣ୍ଡିଆ ସାମନ୍ତବାଦ ବିରୁଦ୍ଧରେ ଜୀବନବ୍ୟାପୀ ଲଢ଼େଇ କରି ଆସିଥିଲେ । ରୁଦ୍ରଆହ୍ୱାନ ପାଇଲା ପରେ ଶିବପ୍ରସାଦ ପାଣ୍ଡିଆଙ୍କ ଜୀବନ ସାର୍ଥକ ହୋଇଥିଲା ବୋଲି ସେ କହିଥିଲେ । ଏହି ଅବସରରେ ସ୍ୱର୍ଗତ ପାଣ୍ଡିଆଙ୍କ ନିର୍ବାଚିତ ପୁସ୍ତକ ସଙ୍କଳନ ‘ଶିବପ୍ରସାଦ ପାଣ୍ଡିଆ : ବିଚାର ଓ ବ୍ୟକ୍ତିତ୍ୱ’କୁ ଅତିଥିମାନେ ଲୋକାର୍ପିତ କରିଥିଲେ । ସଭାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଖ୍ୟାତ ସ୍ଥପତି ଏବଂ ଶିଳ୍ପୀ ଅନ୍ତର୍ଯ୍ୟାମୀ ମେହେର ଓ ଅଭିଳାଷ ମେହେର, ଜୟଶ୍ରୀ ପ୍ରିଣ୍ଟର୍ସର ସତ୍ତ୍ୱାଧିକାରୀ ପ୍ରସନ୍ନ କୁମାର ଗିରି, ସରିତା ଆଚାର୍ଯ୍ୟ ଏବଂ କୃଷ୍ଣ ମହାରଣାଙ୍କୁ ମାନପତ୍ର ଓ ଉପାୟନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପ୍ରାରମ୍ଭରେ ଅଜିତ ପାଣିଗ୍ରାହୀ ବିପ୍ଳବୀ ସଙ୍ଗୀତ ପରିବେଷଣ କରିଥିଲେ । ଆୟୋଜକ କମିଟି ଆବାହକ ସୁଶୀଳ କୁମାର ପାଣ୍ଡିଆ ସ୍ୱାଗତ ବକ୍ତବ୍ୟ ଦେଇଥିଲେ । ସମ୍ବର୍ଦ୍ଧନା ପର୍ବକୁ ଅଧ୍ୟାପକ ସନ୍ଦୀପ କୁମାର କୁଅଁର ଏବଂ ସଭାପର୍ବକୁ ବୀରେନ୍ଦ୍ର କୁମାର ଝାଙ୍କର ପରିଚାଳନା କରିଥିଲେ । ଶେଷରେ ବିପ୍ଳବ କେଶରୀ ପାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ମୋହନ ରଞ୍ଜନ ପାଣ୍ଡିଆ, ଅଜିତ କୁମାର ଯୋଷୀ, ସଂଗ୍ରାମ ପାଣ୍ଡିଆ, ନିହାର ରଞ୍ଜନ ପାଣ୍ଡିଆ, ଉଚିତ ଚନ୍ଦ୍ର ପଣ୍ଡା, କୁନୁ ପଣ୍ଡା, ରାମନାରାୟଣ ଦାଶ, ପ୍ରଶାନ୍ତ ମହାକୁର, ରଞ୍ଜିତ ମିଶ୍ର, ଯୁଧିଷ୍ଠିର ମେହେର ଅନ୍ୟମାନେ ସହଯୋଗ କରିଥିଲେ । ସଭାରେ ବଲାଙ୍ଗିର ସହରର ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.