
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାର ବହୁ ଚର୍ଚ୍ଚିତ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପକ୍ଷରୁ ବିଧାୟକ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରୁଥିବା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ଶୋଚନୀୟ ଭାବେ ପରାସ୍ତ କରିବା ଭଳି ରୋଚକ ଘଟଣା ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ରୂପେ ବିଜେପି ଦଳର ଲକ୍ଷ୍ମଣ ବାଗ ନିର୍ବାଚିତ ହୋଇଛନ୍ତି । ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ୧୬ ହଜାର ୩୪୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ମୋଟ ୯୦୮୭୬ ଖଣ୍ଡ ଭୋଟ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪୫୩୨ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ୨୬୮୩୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ସ୍ଵାଧୀନ ପ୍ରାର୍ଥୀ ଧନେଶ୍ଵର ମାଝୀ ୧୯୦୩, ପାଣ୍ଡବ ଭୋଇ ୧୪୫୪, ସୁଦାମ କଲେତ ୧୨୩୯, ଅଭିରାମ ଧରୁଆ ୧୨୧୭, ସୁରଥ ବେହେରା ୧୨୦୪, କମଳ ଛତ୍ରିଆ ୧୧୨୭, ସୋହନ ସିପକା ୧୦୯୨, ଦେବେନ୍ଦ୍ର କୁମାର ଜୈନ ୭୪୨ ଭୋଟ ପାଇଥିବା ବେଳେ ନୋଟାରେ ୧୬୪୬ ଖଣ୍ଡ ଭୋଟ ପଡ଼ିଥିବା ଜଣାପଡିଛି । ମଙ୍ଗଳବାର ଟିଟିଲାଗଡ ଡିଏଭି କଲେଜରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରଥମେ ପୋଷ୍ଟାଲ ବ୍ୟାଲଟ ସହ ପରେ ଇଭିଏମ୍ ସହ ମୋଟ ୨୯ ରାଉଣ୍ଡ ଗଣତି ହୋଇଥିଲା । ପ୍ରଥମେ କିଛି ରାଉଣ୍ଡ ବିଜେପି ପରେ ବିଜେଡ଼ି ପ୍ରାର୍ଥୀ ଆଗୁଆ ଥିବା ବେଳେ ପରେ ପରେ ବିଜେପି ପ୍ରାର୍ଥୀ ଶେଷ ପର୍ଯ୍ୟନ୍ତ ଆଗୁଆ ଥିବା ଜଣାପଡିଥିଲା । ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ସହ ଗଞ୍ଜାମର ହିଞ୍ଜିଳିକାଟୁ ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ହିଞ୍ଜିଳିକାଟୁରୁ ୪ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ବିଜୟୀ ହେବା ପରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜି ରିଟର୍ନି ଅଫିସର ତଥା ଏଡିଏମକ ପବିତ୍ର ବେହେରାଙ୍କ ଠାରୁ ବିଜୟୀ ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ଏଠାରୁ ବିଜୟୀ ହେବା ପରେ ତାଙ୍କୁ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ବିଜୟୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀଙ୍କ ପରାଜୟ ପାଇଁ ମୁଖ୍ୟତଃ ବିଜେଡ଼ିର ଦଳୀୟ ଅନ୍ତଃକନ୍ଦଳ, ପ୍ରଚାର ପ୍ରସାରର ଅଭାବକୁ ଦାୟୀ କରାଯାଇଥିବା ବେଳେ ଏହି ଅଞ୍ଚଳର ଭୋଟର ଦୀର୍ଘ ୨୫ ବର୍ଷର ଏକ ସରକାରର ପରିବର୍ତ୍ତନ ପାଇଁ ଭୋଟ ଦେଇଥିବା ଜଣାପଡିଛି ।
