ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ସପ୍ତାହ ବ୍ୟାପୀ ୮୯ତମ ତ୍ରିମୂର୍ତ୍ତୀ ଶିବ ଜୟନ୍ତୀ ମହୋତ୍ସବ ଛତ୍ରପୁର ନିକଟସ୍ଥ ସାହେବ ଜେନାପଲ୍ଲୀ ଠାରେ ଗୁରୁବାର ଆରମ୍ଭ ହୋଇଯାଇଛି । ଏହି ମହୋତ୍ସବର ବାସ୍ତବିକ ରହସ୍ୟ ଏହିକି ଯେ’ ଶ୍ରୀମଦ୍ ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣଙ୍କ ମତବ୍ୟକ୍ତ କରିବା ଅନୁସାରେ ସ୍ଵୟଂ ନିରାକାର ଶିବ ପରମାତ୍ମା ଆଜକୁ ୮୯ ବର୍ଷ ହେଲା, ଧରାପୃଷ୍ଠରେ ଅବତରଣ କରିସାରିଛନ୍ତି । ଯେତେବେଳେ ଏହି ଘୋର କଳିଯୁଗ ଦୁନିଆରେ ଧର୍ମ ଭ୍ରଷ୍ଟ, କର୍ମ ଭ୍ରଷ୍ଟ, ଅନ୍ୟାୟ, ଅତ୍ୟାଚାର, ପାପାଚାର ଏବଂ ଭ୍ରଷ୍ଟାଚାର ବଢିବାରେ ଲାଗେ, ଅଥବା ଧର୍ମର ଗ୍ଲାନି ଘଟିଲେ ସେହି ସମୟରେ ସ୍ଵୟଂ ଭଗବାନ ଶିବ ପରମାତ୍ମା ଏହି ଧରାପୃଷ୍ଠରେ ଅବତରଣ କରନ୍ତି । ତାହାରି ସ୍ମୃତି ଚିହ୍ନ ରୂପରେ ଆମେ ଶିବରାତ୍ରି ପାଳନ କରିଥାଉ । ସେହି ଶିବରାତ୍ରିର ମହତ୍ତ୍ୱକୁ ବଜାୟ ରଖିବା ଉଦ୍ଦେଶ୍ୟରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିବ ସଚେତନତା ଅଭିଯାନ ସ୍ୱରୂପ ଆରମ୍ଭ ହୋଇଥାଏ । ଏହି ଅବସରରେ ଛତ୍ରପୁର ନିକଟସ୍ଥ ସାହେବ ଜେନାପଲ୍ଲୀ ଠାରେ ଶିବ ପରମାତ୍ମାଙ୍କ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଚିକଲଖଣ୍ଡି ପଞ୍ଚାୟତର ସରପଞ୍ଚ ଭଗବାନ ବେହେରା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗୋପାଳପୁର ତଟରକ୍ଷା ବାହିନୀର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଧନଞ୍ଜୟ ମିଶ୍ରା ଶିବଧ୍ଵଜା ଉତ୍ତୋଳନ କରିଥିଲେ । ଶାନ୍ତି ଅନୁଭୂତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟା ଲକ୍ଷ୍ମୀ ଭଉଣୀ ୮୯ତମ ପବିତ୍ର ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ମହୋତ୍ସବର ବାସ୍ତବିକ ରହସ୍ୟକୁ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରମାତ୍ମା ସ୍ମୃତି ରୂପରେ ଏକ ଚୈତନ୍ୟ ଝାଙ୍କିର ଆୟୋଜନ କରାଯାଇଥିଲା । ଏହି ଝାଙ୍କିରେ ଶିବଲିଙ୍ଗ ରଥ ସହ ଚୈତନ୍ୟ ଲକ୍ଷ୍ମୀନାରାୟଣ ଓ ଭାରତ ମାତାର ଝାଙ୍କି ଏବଂ ଶାନ୍ତି ଶୋଭାଯାତ୍ରା ସାହେବ ଜେନାପଲ୍ଲୀରେ ପରିଭ୍ରମଣ କରିଥିଲେ । ଛତ୍ରପୁର ନିକଟସ୍ଥ ଶତାଧିକା ବ୍ରହ୍ମକୁମାରୀ ଭାଇଭଉଣୀ ଉପସ୍ଥିତ ରହିଥିଲେ ।
Prev Post