ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ନିର୍ଯ୍ୟାତିତ ଶୈଶବ

  • ଲାଭକାରୀ ସରକାରୀ ସଂସ୍ଥାରେ ଗୋତି ଶ୍ରମିକ ଖଟୁଛି ଶୈଶବ
  • ସରକାରୀ ନିୟମକୁ ବିଭାଗୀୟ କାମଚଳା ରେଞ୍ଜଙ୍କ ଖାତିର ନାହିଁ
  • ଟିଟିଲାଗଡ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ବେଳଗାଁରେ ନିୟୋଜିତ ଶିଶୁ ଶ୍ରମିକ
    ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ । କେତେବେଳେ କେଉଁ ସମୟରେ ନିଜ ପ୍ରତିଭାର ପରିଚୟ ଦେଇ ଦେଶକୁ ଗୌରବାନ୍ୱିତ କରିବାରେ ଶିଶୁ ମାନଙ୍କ ଏକ ମହତ ଭୂମିକା ରହିଛି । ସେଥିପାଇଁ କୁହାଯାଏ ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ ହୋଇପାରେ । ଏଥିପାଇଁ ଅନେକ କଡା ନିୟମ ପ୍ରଣୟନ କରାଯାଇଛି ଶିଶୁ ମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ପାଇଁ । ବିଶେଷ କରି ୯ ବର୍ଷରୁ ୧୪ ବର୍ଷର ନାବାଳକ ବା ଶିଶୁମାନଙ୍କ ପାଠ ପଢିବାର ସମୟ । ନିଜ ଜ୍ଞାନକୁ ବିକଶିତ କରିବାର ସମୟ । ସେଥିପାଇଁ ଏହି ବୟସର ପିଲାମାନଙ୍କୁ କୌଣସି କାମରେ ନିୟୋଜିତ ନକରିବା ପାଇଁ କଡା ଶିଶୁ ଆଇନ ରହିଛି । ହେଲେ ଏହି ସବୁ ନିୟମ କାନୁନକୁ ପଚାରେ କିଏ । ନିୟମ ତା ବାଟରେ, କିଏ ପଚାରେ ଏହି ସବୁ ନିୟମ କାନୁନକୁ। ଅଳ୍ପ କିଛି ଟଙ୍କା ଦେଇ ଶିଶୁ ମାନଙ୍କୁ ସରକାରୀ କାର୍ଯ୍ୟରେ ନିୟୋଜିତ କରି ବ୍ୟାପକ ଅର୍ଥକୁ ଆତ୍ମସାତ କରିବା ପାଇଁ ବିଭିନ୍ନ ପ୍ରକାର ବେନିୟମ କାମ କରିବାକୁ ପଛାଉ ନାହାନ୍ତି କିଛି ସରକାରୀ ଅଧିକାରୀମାନେ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଟିଟିଲାଗଡ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ବେଲ୍‌ଗାଁ କେନ୍ଦୁପତ୍ର ବିଭାଗରେ । ବେଲ୍‌ଗାଁ କେନ୍ଦୁପତ୍ର ବିଭାଗରେ ଜଣେ ଫରେଷ୍ଟର ସୁଶାନ୍ତ ସାହୁ ନାମକ ବ୍ୟକ୍ତି ରେଞ୍ଜର ଭାବରେ ଅତିରିକ୍ତ ଦାୟିତ୍ୱ ବହନ କରିଛନ୍ତି । ହେଲେ ରେଞ୍ଜର ଦାୟିତ୍ୱ ବହନ କରିବା ପରେ ନିଜକୁ ରେଞ୍ଜ ଅଧିକାରୀ ଭାବରେ ବେଶ ତାଉ ଦେଖାଉଥିବା ନେଇ ଏବେ ଟିଟିଲାଗଡ ସହରରୁ ନେଇ ବିଭାଗୀୟ କେନ୍ଦୁପତ୍ର ଡିଏଫଓ ଅଫିସ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି । ତେବେ ବେଲଗାଁ ସ୍ଥିତ ସରକାରୀ ରେଞ୍ଜ କାର୍ଯ୍ୟାଳୟରେ ନିକଟସ୍ଥ ଗ୍ରାମର ନାବାଳକ ମାନଙ୍କୁ କେନ୍ଦୁପତ୍ର ବିଡା ବାନ୍ଦିବା ଠାରୁ ଆରମ୍ଭ କରି ପତ୍ର ଗୋଟାଇବା, ରଙ୍ଗ ଦେବା ଜମା କରିବା ଆଦି ସବୁ କାମରେ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରି ସରକାରଙ୍କ ସମସ୍ତ ନିୟମକୁ ଉଲଂଘନ କରିଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ନୀରବ ରହିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ସବୁଠାରୁ ଚକିତର ବିଷୟ ଯେ, ଟିଟିଲାଗଡରେ ସ୍ଥାନୀୟ ବିଧାୟିକା ତଥା ମହିଳା ଓ ଶିଶୁବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ରହିଥିବା ବେଳେ ସମସ୍ତ ବିଷୟରେ ଅବଗତ ରହି ମଧ୍ୟ ନୀରବ ସାଜିବା ଘଟଣା ପଛରେ କ’ଣ ରହସ୍ୟ ରହିଛି ତାହାକୁ ନେଇ ନାନା କଳ୍ପନା ପ୍ରକାଶ ପାଇଛି । ଗୋଟିଏ ପଟେ ମାହାମାରୀ କୋଭିଡ-୧୯ ତାର ଦ୍ଵିତୀୟ ଲହରୀରେ ସାରା ଭାରତରେ ତାର ତାଣ୍ଡବ ରଚି ଚାଲିଥିବା ବେଳେ ଏହି ଦ୍ଵିତୀୟ ଲହରୀରେ ନାବାଳକ ତଥା ଶିଶୁ ମାନଙ୍କୁ ଅଧିକ ପ୍ରଭାବିତ କରି ଚାଲିଥିବାରୁ କେନ୍ଦ୍ର ଏବଂ ରାଜ୍ୟ ସରକାର ନାବାଳକ ତଥା ଶିଶୁ ମାନଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ବାରମ୍ବାର ନିବେଦନ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଅନେକ ଥର ସାମାଜିକ ଗଣମାଧ୍ୟମରେ ମଧ୍ୟ ଶିଶୁ ତଥା ନାବାଳକ ମାନଙ୍କ ପାଇଁ ବିଭିନ୍ନ ସର୍ତକତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରୁଥିବା ବେଳେ ବେଳଗାଁ କେନ୍ଦୁପତ୍ର ବିଭାଗରେ କେମିତି ଶିଶୁ ଶ୍ରମିକ ମାନଙ୍କୁ ସଂପୃକ୍ତ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ସୁଶାନ୍ତ ସାହୁ ନିୟୋଜିତ କରିଛନ୍ତି ବୋଲି ଟିଟିଲାଗଡ ଗରିବ ସେନା ପ୍ରଶ୍ନ କରିବା ସହ ସଂପୃକ୍ତ ଅଧିକାରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛି । ସେପଟେ କୁଆଡେ ଶିଶୁ ବିକାଶ ମନ୍ତ୍ରୀଙ୍କ ଛତ୍ର ଛାୟା ତଳେ ରହିଥିବାରୁ ବେଲଗାଁ ଫରେଷ୍ଟର କାହାକୁ ଖାତିର କରୁନଥିବା ମଧ୍ୟ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା ଜୋର ଧରିଛି । ଏମିତିକି ପ୍ରଚଣ୍ଡ ତାତିରେ ମଧ୍ୟ ଶିଶୁ ଶ୍ରମିକ ମାନଙ୍କୁ ବିଭିନ୍ନ ପତ୍ର ଫଡି ଅଂଚଳରେ କେନ୍ଦୁପତ୍ର ବିଛାଇବା ଗୋଟାଇବା ତଥା ବିଡା ବାନ୍‌ନ୍ଧିବା ଠାରୁ ଆରମ୍ଭ କରି କେରି ବାନ୍ଧିବା ପର୍ଯ୍ୟନ୍ତ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳିଛି । ମହାମାରୀ କୋଭିଡ୍-୧୯ ଏବଂ ପ୍ରଚଣ୍ଡ ତାତିରେ ନାବାଳକ ମାନଙ୍କୁ ବିନା ମାକ୍ସରେ ବିନା ସାମାଜିକ ଦୂରତାରେ ଗୋତି ଖଟାଉଥିବା ଅନେକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିଲେ ବି ଜିଲ୍ଲା ସିସିଏଫ କେମିତି ନୀରବ ରହୁଛନ୍ତି ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ତେବେ ଏନେଇ ଟିଟିଲାଗଡ କେନ୍ଦୁପତ୍ର ଡିଭିଜନର ଡିଏଫଓ ଦିପ୍ତିକାନ୍ତ କମ୍ପଙ୍କ କହିବା କଥା ଯେ, ପୂର୍ବରୁ ତାଙ୍କ ପାଖରେ ଶିଶୁ ଶ୍ରମିକ ବା ନାବାଳକ ମାନଙ୍କୁ ନିୟୋଜିତ କରାଯାଉଥିବା ଖବର ନଥିଲା । ଏହାରି ଉପରେ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ବୋଲି ନିଜ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା । ବର୍ତ୍ତମାନ ଦେଖିବାର କଥା ଯେ ଆଗକୁ ତଦନ୍ତ କେତେ ବାଟ ଯାଉଛି ଏବଂ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି ନା ପୂର୍ବ ଭଳି ବାବୁ ଫରେଷ୍ଟର ମନ୍ତ୍ରୀଙ୍କ ପାଖ ଲୋକ କହି ଖସିଯିବାରେ ସଫଳ ହେଉଛନ୍ତି ।
Leave A Reply

Your email address will not be published.