ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ମାଦାଗୁଡାର ଦୁରିଙ୍ଗିପଡି ସାହିର ତିନି ଜଣ ଶିଶୁ ଅପରାହ୍ନରେ ପଞ୍ଚାୟତ ନିକଟରେ ଥିବା ଏକ ବନ୍ଧରେ ଗାଧୋଇବା ବେଳେ ପାଣିରେ ଦଶବନ୍ତ ମହାନନ୍ଦ ନାମକ ୩ ବର୍ଷର ଶିଶୁଟି ବୁଡ଼ିଯାଇଥିଲା । ହେଲେ ପରିବାର ଲୋକ ଖୋଜା ଖୋଜି କରିବା ପରେ ବନ୍ଧରୁ ଭାସମାନ ଅବସ୍ଥାରେ ଶିଶୁଟିର ମୃତ ଶରୀର ଠାବ କରିଥିଲେ ଏବଂ ତାକୁ ଗ୍ରାମବାସୀମାନଙ୍କ ସାହାଯ୍ୟରେ ଉଦ୍ଧାର କରି ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ ଓ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଫଳରେ ଶନିବାର ରାତିରେ ମୃତ ଶିଶୁଟିର ଶବ ବ୍ୟବଛେଦ ହୋଇପାରି ନ ଥିଲା । ସ୍ଥାନୀୟ କିଛି ଯୁବକ ସହ ପରିବାର ଲୋକ ରାତି ତମାମ ଡାକ୍ତରଖାନା ପରିସରରେ ଅପେକ୍ଷା କରିବା ପରେ ସକାଳୁ ଶବ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ କର୍ମଚାରୀଙ୍କୁ ଆଣିବାରେ କୌଣସି ସରକାରୀ ସହାୟତା ନ ମିଳିବାରୁ ଶବବ୍ୟବଚ୍ଛେଦକାରୀ ବ୍ୟକ୍ତିଙ୍କୁ ଆଣିବା ପାଇଁ ମାଦାଗୁଡାର ଯୁବକ ଯାଇ ବାଲିଗୁଡାରୁ ବାଇକରେ ଆଣିଲେ ଓ ଏହାପରେ ବି ଶବ ନେବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ସାତ କିଲୋମିଟର ସ୍ଥାନୀୟ ଯୁବକ ବାଇକରେ ଶବ କୁ ନେଇ ଗ୍ରାମକୁ ଫେରିଥିଲେ । ଶବ ଗ୍ରାମରେ ପହଁଚିଲା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା