oom

ନିଜ ପରିଶ୍ରମରେ ସ୍ଥାନୀୟ ଯୁବକଙ୍କ ମାଧ୍ୟମରେ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ ଦିବସ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋରୋନା ମହାମରୀ କାରଣରୁ ଗତ ମାର୍ଚ୍ଚ ମାସ ଠାରୁ ବନ୍ଦ ରହିଛି ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ । ଯାହା ଫଳରେ ମୁଖ୍ୟତଃ ଗ୍ରାମାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ାରେ ବହୁତ ବ୍ୟାଘାତ ଦେଖାଦେଇଛି । ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ଘରକୁ ଯାଇ ବିଗତ କିଛି ମାସ ହେଲା କ୍ରମାଗତ ଭାବରେ ଶିକ୍ଷାଦାନ କରି ଆସୁଛନ୍ତି ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦିବସ କୁମାର ସାହୁ । ପିଲାମାନଙ୍କୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କୋଭିଡ ନିୟମାବଳୀ ଅନୁସରଣ କରି ଉ‌ନ୍ନତ ଶିକ୍ଷାଦାନ ପ୍ରକ୍ରିୟା ସଂଚାଳନ କରିବା ବାସ୍ତବିକ ଏକ କଷ୍ଟକର ବ୍ୟାପାର । କିନ୍ତୁ ଦିବସଙ୍କର ପ୍ରୟାସ ଓ ସ୍ଥାନୀୟ ଆଗ୍ରହୀ ଯୁବକଙ୍କ ସହଯୋଗ ଦ୍ୱାରା ତୁମୁରିପାଣି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ସକ୍ଷମ ହୋଇପାରିଛନ୍ତି । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ତଥା ପଞ୍ଚାୟତ ସ୍ତରୀୟ ନିର୍ବାଚିତ ଜନପ୍ରତିନିଧି ବ୍ୟାପକ ଭାବେ ସାହାଯ୍ୟ ସହଯୋଗ କରି ଆସୁଛନ୍ତି । ଗ୍ରାମର ନାଏବ ସରପଞ୍ଚ ହେମାନଦ ଚୌଧୁରୀଙ୍କ ସହାୟତାରେ ଏକ ଶ୍ରେଣୀ କୋଠରୀ ବ୍ୟବସ୍ଥା ହେବା ପରେ ତାକୁ ସ୍ମାର୍ଟ କ୍ଲାସ ରୁମ୍‌ କରିବା ପାଇଁ ଶିକ୍ଷକ ଦିବସ କୁମାର ସାହୁ ପ୍ରୋଜେକ୍ଟର ସହିତ ଅନ୍ୟାନ୍ୟ ଦୃଶ୍ୟ ଶ୍ରାବ୍ୟ ଶିକ୍ଷଣ ଉପକରଣ ଯୋଗେଇ ଦେଇଛନ୍ତି । ଏହି ଉପାୟରେ ଗ୍ରାମର ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ ନ ଥିଲା, ସେମାନେ ପ୍ରୋଜେକ୍ଟର ମାଧ୍ୟମରେ ଅନଲାଇନ ଶିକ୍ଷା ପାଇବାରେ ସକ୍ଷମ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପରିବର୍ତ୍ତିତ କୋଭିଡ ନିୟମାବଳୀ ଅନୁସାରେ ଅଭିଭାବକ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କୁ ନେଇ ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ପାଠ ପଢ଼େଇବା ପାଇଁ ଥିବା ମାର୍ଗଦର୍ଶିକାକୁ ଅନୁସରଣ କରି ଅନବରତ ଚେଷ୍ଟା କରି ପିଲାମାନଙ୍କୁ ବିପରୀତ ପରିସ୍ଥିତିରେ ଶିକ୍ଷାଦାନ ଯୋଗେଇଦେବା ପାଇଁ ସକ୍ଷମ ହୋଇପାରିଛନ୍ତି ଦିବସ । ରାଜ୍ୟ ସରକାରଙ୍କ କୋଭିଡ ନିୟମାବଳୀ ଅନୁସରଣ କରି ମାସ୍କ ,ସାନିଟାଇଜର ତଥା ସାମାଜିକ ଦୂରତା ବଜାୟ ରଖି ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବାରେ ସକ୍ଷମ ହେଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଦିବସଙ୍କର ଉଦ୍ୟମ କ୍ରମେ ଓ ମାର୍ଗଦର୍ଶନରେ ଗ୍ରାମର କିଛି ଶିକ୍ଷିତ ଯୁବକ ମଧ୍ୟ ନିସ୍ୱାର୍ଥପର ଭାବରେ ଗ୍ରାମର ଛୁଆ ମାନଙ୍କୁ ଘରକୁଘର ଯାଇ ଶିକ୍ଷା ଦାନ କରୁଛନ୍ତି । ବିଶେଷ ଭାବରେ ତୁମୁରିପାଣି ଗ୍ରାମର ମନୋଜ ଏବଂ ଚିନ୍ତାମଣି ଏହି ଦୁଇଜଣ ଯୁବକ ପ୍ରତ୍ୟେକ ଦିନ ଦ୍ୱିପହର ସମୟରେ ଶିକ୍ଷାଦାନ କରିବାକୁ ଘରୁ ବାହାରିଥାନ୍ତି । ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଦିବସ ତାଙ୍କୁ ମାସିକ ୨ହଜାର ୫ ଶହ ଟଙ୍କା ପାରିଶ୍ରମିକ ମଧ୍ୟ ପ୍ରଦାନ କରୁଛନ୍ତି । ମୋଟାମୋଟି ଭାବରେ କହିବାକୁ ଗଲେ ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁସରଣ କରି ମଧ୍ୟ ଶିକ୍ଷକ, ଅଭିଭାବକ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ମିଳିତ ପ୍ରୟାସ ଯୋଗୁଁ ସୁରୁଖୁରୁରେ ଶିକ୍ଷଣ ଶିକ୍ଷାଦାନ ପ୍ରକ୍ରିୟା ଚାଲୁରହିଛି । ଦିବସଙ୍କ ଅନବରତ ଚେଷ୍ଟା ଏବଂ ସମସ୍ତଙ୍କ ମିଳିତ ପ୍ରୟାସ ପାଇଁ ପ୍ରତିକୂଳ ପରିସ୍ଥିତିରେ ତୁମୁରିପାଣି ବିଦ୍ୟାଳୟର ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ ଉପକୃତ ହୋଇପାରିଛନ୍ତି ।

ଏ ବର୍ଷ ସ୍କୁଲ ମାଡ଼ିନଥିବା ଛାତ୍ରଛାତ୍ରୀ ପାଠପଢା ସହ ବିଭିନ୍ନ ସହ ଶୈକ୍ଷିକ କାର୍ୟ୍ୟକ୍ରମରେ ମଧ୍ୟ ଭାଗନେଇ ପାରୁଛନ୍ତି, ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଦ୍ୱାରା ତାଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ସାଧିତ ହେଇପାରୁଛି । ଏହାଛଡ଼ା ଶିକ୍ଷଣ ଅଗ୍ରଗତି ଜାଣିବା ନିମନ୍ତେ ସାପ୍ତାହିକ ମୂଲ୍ୟାୟନ ମଧ୍ୟ କରାଯାଉଛି । ପ୍ରକୃତରେ ବର୍ତ୍ତମାନ ସମୟରେ ସର୍ବୋତ୍କୃଷ୍ଟ ଦାନ ହେଉଛି ଶିକ୍ଷା ଦାନ, ଯାହାଦ୍ୱାରା ସମାଜର ମଙ୍ଗଳ ସାଧନ ହେବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଘଟିବ । ଶିକ୍ଷକ ଦିବସ କୁମାର ସାହୁ ଙ୍କର ଏହି ଉଦ୍ୟମ ଓ ତୁମୁରିପାଣି ର ଯୁବକ ମାନଙ୍କର ଏହି ମହତ ପ୍ରୟାସ ନିଶ୍ଚିତ ଭାବରେ ପ୍ରଶଂସନୀୟ ଏଥିରେ ତିଲେମାତ୍ର ସନ୍ଦେହ ନାହିଁ ସମଗ୍ର ରାଜ୍ୟ ପାଇଁ ଏହା ଏକ ଉଦାହରଣ ।

jittmm
Leave A Reply

Your email address will not be published.