ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ରାଇକିଆ ବନ ବିଭାଗ ଅଧିକାରୀ ସୁନୀଲ କୁମାର ସାହୁଙ୍କ ନେତୃତ୍ବରେ ରାଇକିଆ ବ୍ଲକ୍ ଅନ୍ତର୍ଗତ କରଡା ପଞ୍ଚାୟତର ଡକରବାଡି ଘଞ୍ଚ ଜଙ୍ଗଲରେ ଅତର୍କିତ ଚଢ଼ାଉ କରାଯାଇଥିଲା । ରାଇକିଆ ବ୍ଲକର ବିଭିନ୍ନ ଜଙ୍ଗଲରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରୁଥିବା ଶିକାରୀଙ୍କ ଠାରୁ ୫ଟି ଦେଶୀ ବନ୍ଧୁକ, ୨୪ଟି ଗୁଳି, ବାରୁଦ ୨୦୦ ଗ୍ରାମ, ଟର୍ଚ୍ଚ ୩ଟି, ଝିଙ୍କ ମାଂସ ୪ କିଲୋ, ଝିଙ୍କ ଖାଡି ୨୦୦ ଗ୍ରାମ, ମୋବାଇଲ, ବ୍ୟାଟେରି, କାତି ଏବଂ ବିଭିନ୍ନ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି । ତେବେ ବନ ବିଭାଗ କର୍ମଚାରୀଙ୍କୁ ଚକ୍ମା ଦେଇ ଶିକାରୀମାନେ ଚମ୍ପଟ ମାରିଥିଲେ । ଏଠାରେ ସୂଚନା ଥାଉକି କିଛି ଦିନ ପୁର୍ବରୁ ଜଣେ ଶିକାରୀଙ୍କୁ ଦେଶୀ ବନ୍ଧୁକ ସହ ଗିରଫ କରାଯାଇଥିଲା । ଏହାକୁ ମିଶାଇ ୦୬ ଗୋଟି ଦେଶୀ ବନ୍ଧୁକ ଜବତ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Prev Post