ବିନିକା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

  • ବିଭିନ୍ନ ୩୪ ଅଭିଯୋଗ ଦରଖାସ୍ତ ଗ୍ରହଣ
  • ତୁରନ୍ତ ସମାଧାନ ହେଲା ୦୭ ଅଭିଯୋଗ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୩୪ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୩୨ ଗୋଟି, ସାମୁହିକ ଦରଖାସ୍ତ ୦୨ ଗୋଟି ରହିଥିବା ସୂଚନା ପ୍ରଦାନ କରାଯାଇଛି । ଗ୍ରହଣ କରାଯାଇଥିବା ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ୦୭ ଗୋଟି ଅଭିଯୋଗ ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୭ଟି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତୁରନ୍ତ ସମାଧାନ ନିମନ୍ତେ ପ୍ରେରଣ କରାଯାଇଛି । ଏହି ଅବସରରେ ବ୍ଲକ ପ୍ରଶାସନ ବିନିକା ତରଫରୁ ଜୁଲୁଣ୍ଡା ଜିପି ଅନ୍ତର୍ଗତ ଅମାମୁଣ୍ଡା ନିବାସୀ କିଶୋର ସ୍ୱାଇଁଙ୍କୁ ଗ୍ରୀଷ୍ମ କାଳୀନ ଭତ୍ତା ବାବଦରେ ୬୦୦ ଟଙ୍କା, ମହଦା ନିବାସୀ ଯୋଗେଶ୍ୱର ସା ଓ ସିଲାଟି ନିବାସୀ ସିତୟା ଖମାରୀ ପ୍ରତ୍ୟେକଙ୍କୁ ବାର୍ଦ୍ଧକ୍ୟ ଭତ୍ତାରେ ଅନ୍ତର୍ଭୁକ୍ତ କରାଯାଇ ୫୦୦ ଟଙ୍କା ଲେଖାଁଏ ଓ ଭଣ୍ଡାର ନିବାସୀ କୁଶ ବାଗଙ୍କୁ ଡିଜିଟାଲ ଶ୍ରବଣ ଯନ୍ତ୍ରର ସହାୟତା ପ୍ରଦାନ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିନିକା ବ୍ୟାସଦେବ ବେହେରାଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ଉନ୍ନୟନ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ସୋନପୁର ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ବିନିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦୀପ୍ତିରେଖା ନନ୍ଦ, ଜିଲ୍ଲାସ୍ତରୀୟ ଅଧିକାରୀ, ଅତିରିକ୍ତ ତହସିଲଦାର, ବ୍ଲକସ୍ତରୀୟ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ । ଅଦ୍ୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଗତ ଏକ ମାସ ମଧ୍ୟରେ ବିନିକା ବ୍ଲକର ବିଭିନ୍ନ ସମସ୍ୟା ଉପରେ ପ୍ରକାଶିତ ଖବର ଉପରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି, ବିଭାଗୀୟ ଅଧିକାରୀମାନେ ଅଂଚଳର ଜନ ଜୀବନକୁ ପ୍ରଭାବିତ କରୁଥିବା ଭଳି ବିଭାଗୀୟ ଖବର ଗୁଡିକୁ ଗୁରୁତ୍ୱର ସହ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ପୁନଶ୍ଚ ଜିଲ୍ଲାର କୌଣସି ସରକାରୀ କାର୍ଯ୍ୟାଳୟ ଅଥବା କାର୍ଯ୍ୟାଳୟ ପରିସର ଯେପରି ପରିଷ୍କାର ପରିଚ୍ଛନ ତଥା ଏକକ ପ୍ଲାଷ୍ଟିକ ବ୍ୟବହାର ମୁକ୍ତ ରହିବ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଜିଲ୍ଲାସ୍ତରୀୟ ଜନ ଶୁଣାଣି ଆସନ୍ତା ତା:୨୫/୦୭/୨୨ସୋମବାର ଦିନ ଜିଲ୍ଲାର ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବା ନିମନ୍ତେ ପ୍ରଶାସନ ତରଫରୁ ସୂଚୀତ କରାଯାଇଛି ।

Leave A Reply

Your email address will not be published.