ବଲାଙ୍ଗିର, (କେପିଏନ୍ଏସ୍) : କଥାରେ ଅଛି, ଅପରାଧ ଲୁଚେଇ ହୁଏନି କି ଲୁଚେନି । ଯେମିତି ହେଲେ ଦୃଶ୍ୟମାନ୍ ହୁଏ ଲୋକଙ୍କ ଆଖିରେ । ଏହି କ୍ରମରେ ଶେଷାଦ୍ରୀଙ୍କ ହତ୍ୟାକାରୀ ଏବେ ପୋଲିସ ପନ୍ଝାରେ । ଅପରାଧୀଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଛି ବଲାଙ୍ଗିର ଟାଉନ୍ ପୋଲିସ । ଏହି ବିଭତ୍ସ ହତ୍ୟାକାଣ୍ଡର ଅଭିଯୁକ୍ତ ମିଲନ ରଣା ଓ ଜିତୁ ରଣାଙ୍କୁ ବଲାଙ୍ଗିର ଟାଉନ୍ ପୋଲିସ କାବୁ କରିନେଇଛି । ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ମିଲନ ଓ ଜିତୁ ଦୁଇ ଭାଇ ହୋଇଥିବା ବେଳେ ସେମାନେ ଆଗଲପୁର ବ୍ଲକ ଅଧୀନସ୍ଥ ରୋତ୍ ଗାଁର ନିବାସୀ । ଦୁଇ ଭାଇ ସ୍ଥାନୀୟ ଠିକାଦାରପଡ଼ାର ଜଣେ ସଂପର୍କୀୟଙ୍କ ଘରେ ରହୁଥିଲେ । ମିଲନ ସହ ଶେଷାଦ୍ରୀଙ୍କ ପ୍ରେମ ସଂପର୍କ ରହିଥିଲା । ମା’ ବାପା ଘରେ ନଥିବା ବେଳେ ଶେଷାଦ୍ରୀ ପ୍ରେମିକ ମିଲନକୁ ଘରକୁ କେବେ କେମିତି ଡାକୁଥିଲେ ବୋଲି ଶୁଣିବାକୁ ମିଳୁଛି । ତେବେ ଗତକାଲି ଶେଷାଦ୍ରୀ ଘରେ ଏକୁଟିଆ ଥିବା ବେଳେ ମିଲନ ନିଜ ଭାଇ ସହ ଶେଷାଦ୍ରୀଙ୍କ ଘରକୁ ଆସିଥିଲା । ପୂର୍ବରୁ ମିଲନ ଶେଷାଦ୍ରୀଙ୍କୁ ଏକ ମୋବାଇଲ୍ ଫୋନ୍ ଗିଫ୍ଟ କରି ସେହି ମୋବାଇଲ ଫୋନ୍ ମାଧ୍ୟମରେ ଶେଷାଦ୍ରୀଙ୍କ ସହ ରୀତିମତ କଥା ହେଉଥିବା ଜଣାପଡ଼ିଛି । ତେବେ ମିଲନ ଓ ଜିତୁ ଶେଷାଦ୍ରୀଙ୍କ ଘରକୁ ପହଂଚିବା ପରେ ଶେଷାଦ୍ରୀ ଚା’ ତିଆରି କରିବାକୁ ଯିବା ବେଳେ ଶେଷାଦ୍ରୀଙ୍କୁ ନିଜେ ଦେଇଥିବା ମୋବାଇଲ ଫୋନ୍ ଦେଖିଥିଲା ମିଲନ୍ । ତେବେ ମୋବାଇଲ୍ରେ ଅନ୍ୟ କୌଣସି ଯୁବକଙ୍କ ସହ ଶେଷାଦ୍ରୀଙ୍କ ଫଟୋ ଓ ଚାଟିଂ ରହିଥିବାରୁ ରାଗି ଯାଇ ମିଲନ୍ ଶେଷାଦ୍ରୀଙ୍କୁ ଗୋଟିଏ ଚାପୁଡ଼ା ମାରିଥିଲା ଓ ପାଖରେ ପଡ଼ିଥିବା କଟୁରୀ ଉଠାଇ ବିଭତ୍ସ ଭାବରେ ହତ୍ୟା କରିଥିବା ଜଣାପଡ଼ିଛି । ଗତକାଲି ଅପରାହ୍ନରେ ବଲାଙ୍ଗିର ସହରର ୨୧ ନଂ. ୱାର୍ଡ ଅନ୍ତର୍ଗତ ତଥା ବଲାଙ୍ଗିର ସେଣ୍ଟ୍ରାଲ୍ ସ୍କୁଲ ପାଖରେ ରହିଥିବା ନିଖିଳନଗରରେ ନାବାଳିକା ଶେଷାଦ୍ରୀ ନାଗ(୧୫)ଙ୍କ ରକ୍ତ ଯୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣା ସଂପର୍କରେ ଖବର ପାଇ ବଲାଙ୍ଗିର ଟାଉନ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ପୋଲିସ ଟିମ୍ ସହ ପହଞ୍ଚିଥିବା ବେଳେ ବଲାଙ୍ଗିର ଏସ୍ପି ରିଷିକେଶ ଖିଲାରୀ ଓ ସାଇନ୍ଟିଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲେ । ଶେଷାଦ୍ରୀଙ୍କ ବାପା ମକରଧ୍ୱଜ ନାଗ ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ ତାଙ୍କ ମା’ ପୂର୍ଣ୍ଣିମା ନାଗ ସଫେଇ କର୍ମଚାରୀ ଭାବେ କାମ କରନ୍ତି । ବାପା ମା’ ଦୁହେଁ ଗତକାଲି ସକାଳୁ କାମକୁ ବାହାରିଯିବା ପରେ ଶେଷାଦ୍ରୀ ଘରେ ଏକୁଟିଆ ଥିବା ସମୟରେ ଘଟିଥିଲା ଏହି ନୃଶଂସ ହତ୍ୟାକାଣ୍ଡ । ମା’ ବାପା କାମରୁ ଫେରି ଦିନ ୨ଟାରେ ଝିଅର ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ତେବେ ବଲାଙ୍ଗିର ପୋଲିସ ଏହି ଘଟଣାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଆରମ୍ଭ କରିଥିବା ବେଳେ ୨୪ ଘଂଟା ମଧ୍ୟରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳତା ହାସଲ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଏକ କଟୁରୀ ମଧ୍ୟ ସିନ୍ ରିକ୍ରିଏସନ୍ ବେଳେ ନିକଟସ୍ଥ ଜଂଗଲ ଭିତରୁ ଉଦ୍ଧାର କରିଛି ପୋଲିସ ।
Next Post