ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ମିଶନ ଶକ୍ତି ଦ୍ଵାରା ବ୍ୟାଙ୍କ ଋଣ ଓ ସୁଧର ଫେରସ୍ତ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଗଡ଼ମୋଟରୀ କଲ୍ୟାଣ ମଣ୍ଡପ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସ୍ଥାନୀୟ ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ, ୟୁକୋ ବ୍ୟାଙ୍କ ଶାଖା ପରିଚାଳକ ଯୋଗେଶ ଚନ୍ଦ୍ର ପ୍ରଧାନ ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ବିପିସି ମିଶନ ଶକ୍ତି ନନ୍ଦିତା ସ୍ୱାଇଁ, ବିପିଏମ୍ ଓଏଲ୍ଏମ୍ ପ୍ରମୋଦିନୀ ବେହେରା, ବିପିସି (ଓଏଲ୍ଏମ୍) ଅନଙ୍ଗସେନ ତାଡ, ବିଏଲ୍ଏଫ୍ ସଭାପତି ବିଦୁଲତା ସ୍ୱାଇଁ, ସମ୍ପାଦିକା ପ୍ରତିମା ଦାସ ଯୋଗ ଦେଇଥିଲେ । ମିଶନ ଶକ୍ତି ଦ୍ଵାରା ବ୍ଲକର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀ କିପରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ସ୍ୱାବଲମ୍ବୀ କରିପାରିବେ ଓ ଋଣ ନେଇ କିପରି ଋଣ ପରିଶୋଧ କରିବେ ତା’ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ରାଜ୍ୟ ସରକାର ମିଶନ ଶକ୍ତିକୁ ଅଧିକ ସଶକ୍ତିକରଣ ଓ କ୍ରିୟାଶୀଳ କରି ମହିଳାମାନଙ୍କର ଦକ୍ଷତା ବୃଦ୍ଧି ସହ ଆର୍ଥିକ ଅଭିବୃଦ୍ଧି ସକାଶେ ପ୍ରତି ଗ୍ରୁପକୁ ବିନା ସୁଧରେ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ପାଇବା ସହ ସୁଧ ରିହାତିର ସୁଯୋଗ ନେବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ । ଋଣ ନେବା ଓ ଋଣ ଆଦାୟ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ପ୍ରତି ପଞ୍ଚାୟତରେ ବ୍ୟାଙ୍କ୍ ଶାଖା ଖୋଲିବାର ଏହି କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା । ଏହା ଦ୍ୱାରା ମିଶନ ଶକ୍ତିର ମହିଳା ମାନେ ଛେଳି, କୁକୁଡ଼ା ମାଛ, ଫୁଲ ଚାଷ, ଆଚାର, ବଡ଼ି, ପାମ୍ପଡ, ସିଲେଇ କେନ୍ଦ୍ର, ବିଉଟି ପାର୍ଲର ସହ ଧାନ ମଣ୍ଡି ଏପରି ଅନେକ କାରବାର କରି ନିଜର ଆର୍ଥିକ ଅଭିବୃଦ୍ଧି ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଅତିଥି ମାନେ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସାତଟି ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୃପର ସଭାପତି ଓ ସମ୍ପାଦିକାଙ୍କ ସହ ସଦସ୍ୟାମାନେ ଉପସ୍ଥିତ ଥିଲେ ।