ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ୱୟଂସହାୟକ ଗୋଷ୍ଠୀର ମା’ମାନଙ୍କୁ କହିଲେ ଯେ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇରହିବ । ମା’ମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଆଜି ଆମେ ଆଉ ଏକ ପାଦ ଆଗକୁ ଆସିଲୁ । ମିଶନ ଶକ୍ତି ମା’ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛୁ । ସେମାନଙ୍କର ଏହି ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଦେବେ । ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀର ମା’ମାନେ ସ୍କୁଟର ପାଇବେ । ଆଜି ଏହି ଯୋଜନାର ଶୁଭାରମ୍ଭରେ ୧୫ ହଜାର ମା’ଙ୍କୁ ସ୍କୁଟର ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଗତି ହିଁ ଶକ୍ତି, ଗତି ହିଁ ସଶକ୍ତିକରଣ । ଆମର ସ୍କୁଟର ଯୋଜନା ମା’ମାନଙ୍କ ଯାତାୟତକୁ ସୁବିଧା କରିବ । ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ଆଣିବ । ମା’ମାନେ ବହୁତ ଭଲ କାମ କରୁଛନ୍ତି । ମୋର ପୁରା ବିଶ୍ୱାସ ମା’ମାନେ ଏବେ ଆହୁରି ଭଲ କାମ କରିବେ । ୭୦ ଲକ୍ଷ ମା’ମାନଙ୍କ ନିଜର ଅନୁଷ୍ଠାନ ମିଶନ ଶକ୍ତି ଆହୁରି ମଜୁବୁତ ହେବ । ମା’ମାନଙ୍କ ଗତିଶୀଳତା ଓଡିଶାର ପ୍ରଗତିକୁ ନୂଆ ବେଗ ଦେବ । ମିଶନ ଶକ୍ତି ମା’ମାନଙ୍କୁ ସରକାରୀ କାମ ଦେବାରେ ଦେଶରେ ଓଡିଶା ଏକମାତ୍ର ରାଜ୍ୟ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ଲକ ଓ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଫେଡେରେସନ୍କୁ ସରକାରୀ କାର୍ଯ୍ୟ ପାଇଁ ଯାନସୁବିଧା ଯୋଗାଇ ଦେବା ବାବଦରେ ଘୋଷଣା କରିଥିଲେ । ଯାନସୁବିଧା ବଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ଉଦ୍ୟୋଗୀ ଭାବେ ପରିଣତ କରିବା ଆମର ଲକ୍ଷ୍ୟ । ଏଥିପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦ କୋଟି ଟଙ୍କାର ସୁଧ ସହାୟତା ସିଧାସଳଖ ଦିଆଯାଉଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସଂଘର ସଦସ୍ୟାମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୂଚନା ଅନୁଯାୟୀ ସମଗ୍ର ରାଜ୍ୟର ପ୍ରାୟ ଦୁଇ ଲକ୍ଷରୁ ଅଧିକ ବିଏଲ୍ଏଫ୍ ଓ ଜିପିଏଲ୍ଏଫ୍ଇସି, ବିସିଏ, ସିଆରପି ଓ ଏମବିକେ ମା’ମାନଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କାର ଋଣ ବ୍ୟବସ୍ଥା କରାଯାଇ ସ୍କୁଟର ବଣ୍ଟନ କରାଯାଇଛି । ଏହି ଅବସରରେ ବୁଧବାର ଡେଲାଙ୍ଗ ବ୍ଲକ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ମିଶନ ଶକ୍ତି ସ୍କୁଟର ଯୋଜନା କାର୍ଯ୍ୟକ୍ରମରେ ବ୍ଳକ୍ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ସିଡିପିଓ ଜାପାନୀ ମିତ୍ର, ମିଶନ ଶକ୍ତି ବ୍ଳକ୍ ପ୍ରୋଗ୍ରାମ ସଂଯୋଜିକା ନନ୍ଦିତା ସ୍ୱାଇଁ, ସୁପରଭାଇଜର ଶାନ୍ତିଲତା ବାରିକ, ସଂଘମିତ୍ରା ବେହେରା, ମିଶନ ଶକ୍ତି ମହିଳା ମହାସଂଘ ସଭାନେତ୍ରୀ ବିଦୁଲତା ସ୍ୱାଇଁ, ସମ୍ପାଦିକା ପ୍ରତିମା ଦାସ ପ୍ରମୁଖ ଯୋଗଦେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମିଶନ ଶକ୍ତି ସ୍କୁଟର ଯୋଜନା କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇଥିଲେ। ଡେଲାଙ୍ଗ ବ୍ଲକରେ ଏହି ଯୋଜନାରେ ସମୁଦାୟ ୧୭୨ଜଣ ହିତାଧିକାରୀ ବିଭିନ୍ନ ବ୍ୟାଙ୍କରେ ଋଣ ଆବେଦନପତ୍ର ଦାଖଲ କରିଥିବାବେଳେ ତନ୍ମଧ୍ୟରୁ ୨୪ଟି ଆବେଦନପତ୍ର ମଞ୍ଜୁର ହୋଇଥିବା ନେଇ ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ ସୂଚନା ଦେଇଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ବୁଧବାର ଦିନ ଡେଲାଙ୍ଗ ବ୍ଲକର ୧୦ଜଣ ମିଶନ ଶକ୍ତି ମହିଳାଙ୍କୁ ଏହି ଯୋଜନାରେ ସ୍କୁଟର ମିଳିଥିବା ନେଇ ବିପିସି ନନ୍ଦିତା ସ୍ୱାଇଁ ସୂଚନା ଦେଇଥିଲେ । ଏହି ଅବସରରେ ଗଡମୋଟରୀ ଗ୍ରାମ ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଅଧିନ ବାବା ବାଲୁଙ୍କେଶ୍ୱର ମହିଳା ସ୍ଵୟଂସହାୟିକା ଗୋଷ୍ଠୀ ସମ୍ପାଦିକା ତଥା କାର୍ଯ୍ୟନିର୍ବାହୀ କମିଟି ସଦସ୍ୟା ରଜନୀ ନାୟକଙ୍କୁ ସ୍ଥାନୀୟ ୟୁକୋ ବ୍ୟାଙ୍କ ଶାଖା ପ୍ରବନ୍ଧକ ଯୋଗେଶ ଚନ୍ଦ୍ର ପ୍ରଧାନ ସ୍କୁଟର ଚାବି ହସ୍ତାନ୍ତର କରି ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ସିଡିପିଓ ଜାପାନୀ ମିତ୍ର, ବିପିସି ନନ୍ଦିତା ସ୍ୱାଇଁ, ଓ ଏଲ୍ଏମ ସଂଯୋଜିକା ପ୍ରମୋଦିନୀ ବେହେରାଙ୍କ ସମେତ ମିଶନ ଶକ୍ତି ମହିଳା ମହାସଂଘ ସଭାନେତ୍ରୀ ବିଦୁଲତା ସ୍ୱାଇଁ, ସମ୍ପାଦିକା ପ୍ରତିମା ଦାସ,ବିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ଇସି, ସିଆରପି, ଏମବିକେ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିବା କାର୍ଯ୍ୟରେ ସହଯୋଗ ପାଇଁ ବ୍ଳକ ଉପାଧ୍ୟକ୍ଷ ଦୁର୍ବାସା ନିଶ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।