ଇକୋ କ୍ଲବ ତରଫରୁ ତମାମୁରା ୟୁପି ସ୍କୁଲର ନେଚର କ୍ୟାମ୍ପ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତମାମୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନେଚର କ୍ୟାମ୍ପ ଇକୋ କ୍ଲବ ତରଫରୁ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଗାଈଖାଇ ଇକୋ ଟୁରିଜମ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବତ୍‌ର୍ତ୍ତନ ବିଭାଗର ସେଣ୍ଟର ଫର୍‌ ଏନଭାରମେଣ୍ଟାଲ ଷ୍ଟଡିଜର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତମାମୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା, ଅଭିଭାବକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପରିବେଶର ବିଭିନ୍ନ ଉପାଦାନ ଉପରେ ଧାରଣା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ, ମୁଖ୍ୟବକ୍ତା ଭାବେ ତମାମୁରା ସିଆର୍‌ସିସି ଶୁଭଲାଲ ସାହୁ, ସମ୍ମାନିତ ଅତିଥି ଭାବେ ଚିନାଜୁରୀ ସିଆର୍‌ସିସି ରମେଶ ଭୋଇ, ଇଛାପୁର ସିଆର୍‌ସିସି ସୁଧାଂସୁ ସାହୁ, ଡାହୁକବୁଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମ୍ଭାର ଯୋଗଦେଇ ନେଚର କ୍ୟାମ୍ପ ଉପରେ ଆଲୋଚନା କରିଥିଲେ । ପରିବେଶ ସୁରକ୍ଷା ଜୀବନ ରକ୍ଷାର ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ ସଚେତନତା ରାଲି କରିବା ସହ ପଲିଥିନର କୁପ୍ରଭାବ ଓ ପରିବେଶ ସୁରକ୍ଷା ଉପରେ ଜନ ସଚେତନତା ସୃଷ୍ଟି କରିଥିଲେ । ଫରେଷ୍ଟର ବିଶାଳ ବିଭାର ଓ ଫରେଷ୍ଟ ଗାର୍ଡ ଅଂଶୁମାନ ଦାଶ ଯୋଗଦେଇ ଆର୍ଦ୍ର ଭୂମି ସୁରକ୍ଷା ପାଇଁ ନେବାକୁ ଥିବା ପଦକ୍ଷେପ ବିଷୟରେ ଆଲୋଚନା କରିବା ସହ ଜଳ ଜୀବ ଓ ଜଙ୍ଗଲରେ ରହୁଥିବା ପ୍ରାଣୀ ସମ୍ପଦ, ଔଷଧୀୟ ଗୁଳ୍ମଲତା, ବୃକ୍ଷରୋପଣ ଓ ଜଙ୍ଗଲ ନିଆଁରୁ ସୁରକ୍ଷା ପାଇଁ ଆଲୋଚନା ଚକ୍ରରେ ଭାଗ ନେଇଥିଲେ । ପଲିଥିନ ଫ୍ରୀ ପିକନିକ ଚାଲେଞ୍ଜର ଆହ୍ୱାନ ଦେଇ ପ୍ରାକୃତିକ ପରିବେଶର ମଜା ନେଇଥିଲେ ଛାତ୍ରଛାତ୍ରୀ । ପ୍ରଧାନ ଶିକ୍ଷକ ଫଗୁନୁ ନାଏକଙ୍କ ନେତୃତ୍ୱରେ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଧାନ, ସୂର୍ଯ୍ୟନାରାୟଣ ପଣ୍ଡା, ପ୍ରଦୀପ ଭୁକ୍ତା, ନାରଦ ସା, ଗୋବିନ୍ଦ ସାହୁ, ଶିକ୍ଷୟିତ୍ରୀ ମିନା ପାଣ୍ଡେ ଛାତ୍ରଛାତ୍ରୀଙ୍କୁ ପରିବେଶ ପର୍ଯ୍ୟବେକ୍ଷଣ କରାଇ ବିଭିନ୍ନ ଗଛଲତାକୁ ଚିହ୍ନାଇବା ଓ ଉପକାରିତା କହିବା ସହ ସୁରକ୍ଷା ବିଷୟରେ ସଚେତନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସଚେତନତା ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ଇକୋ କ୍ଲବ ଇନଚାର୍ଜ ତଥା ବିଜ୍ଞାନ ଶିକ୍ଷକ ଜ୍ଞାନେଶ ବିଶି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.