ଭୁବନେଶ୍ୱର : ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠ ପଢ଼ା ଆରମ୍ଭ ହେବା ପରେ ଏବେ ଫେବୃଆରୀ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀର ପିଲା ସ୍କୁଲ ଯିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ୯ମ ଏବଂ ୧୧ଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠପଢା ସୋମବାର ଠାରୁ ଶନିବାର ସକାଳ ୮.୩୦ରୁ ୧୦.୩୦ ପର୍ୟ୍ୟନ୍ତ ହେବ ଏବଂ ରବିବାର ବନ୍ଦ ରହିବ । ପୂର୍ବ ସୂଚି ଅନୁସାରେ ୧୦ମ ଏବଂ ୧୨ଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜାରି ରହିବ । ତେବେ ୧୦ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଦିନ ୧୧ଟାରୁ ୪ଟା ପର୍ୟ୍ୟନ୍ତ ହେବ । ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷଙ୍କ ଦ୍ବାରା ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ସିଫ୍ଟରେ ଆସୁଥିବା ଶିକ୍ଷକ/ଅଧ୍ୟାପକମାନେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ପଢ଼ାଇବା ପରେ ଅପରାହ୍ନ ୧ଟା ୩୦ରେ ଘରକୁ ଫେରିଯିବେ । କିନ୍ତୁ ଦ୍ବିତୀୟ ସିଫ୍ଟରେ ସ୍କୁଲ ଆସୁଥିବା ଶିକ୍ଷକ/ଅଧ୍ୟାପକମାନେ ୪ଟା ପର୍ୟ୍ୟନ୍ତ ସ୍କୁଲରେ ରହିବେ । ଆସନ୍ତା ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ନବମ ଓ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ଏକ ୟୁନିଟ ଟେଷ୍ଟ ହେବ । ବାର୍ଷିକ ଶ୍ରେଣୀ ପରୀକ୍ଷା ୨୦୨୧ ଏପ୍ରିଲ ଶେଷ ସପ୍ତାହରେ ହେବ । ୯ମ ଏବଂ ୧୧ଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠପଢା ଏପ୍ରିଲ୍ ୩୦ ତାରିଖ ପର୍ୟ୍ୟନ୍ତ କ୍ଲାସ୍ ଚାଲିବ । ଏନେଇ ସୋମବାର ଗଣଶିକ୍ଷା ବିଭାଗର ସଚିବ ସୂଚନା ଦେଇଛନ୍ତି । ତେବେ ପାଠ ପଢା ସମୟରେ ପିଲାମାନଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପଡ଼ିବ ।